ଭିଜିଲାନ୍ସ ଜାଲରେ ଆର୍‌ଆଇ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ରାଇରଙ୍ଗପୁର (ମନୋରଞ୍ଜନ ତିରିଆ),୨ା୯: ମୟୂରଭଞ୍ଜ ଜିଲା ବାଦାମପାହାଡ ତହସିଲ ଅଧୀନ ଜୟପୁର ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ୫ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ତାଙ୍କଠାରୁ କେମିକାଲ ବୋଳା ସମସ୍ତ ନୋଟ ଜବତ ହୋଇଛି। ଆର୍‌ଆଇ ଜଣକ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ସିଂହଟିଆ ଗ୍ରାମର ରଜନୀକାନ୍ତ ପାତ୍ରଙ୍କ ପୁଅ ରାକେଶ (୩୩)। ଏହା ସହିତ ତାଙ୍କ ସରକାରୀ କାର୍ଯ୍ୟାଳୟ, ରାଇରଙ୍ଗପୁରରେ ଥିବା ସରକାରୀ ବାସଗୃହ ଓ ବାରିପଦା ମୁର୍ଗାବାଡିରେ ଥିବା ଭଡ଼ାଘରେ ଚଢ଼ାଉ ଜାରି ରହଛି। ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକ ମାମଲା (ନଂ. ୨୪/୨୩)ରୁଜୁ ହୋଇଛି।
ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅଧୀନ ପିଛିଳାଘାଟି ଅଞ୍ଚଳର ରାମଦାସ ସାହୁ ତାଙ୍କ ୫ଟି ପ୍ଲଟର ଚିହ୍ନଟ ନିମନ୍ତେ ବାରମ୍ବାର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ନୟାନ୍ତ ହୋଇପଡ଼ିଥିଲେ। ଉକ୍ତ ଜମି ଚିହ୍ନଟ କରିବାକୁ ଆର୍‌ଆଇ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ରାମଦାସ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଶୁକ୍ରବାର ସନ୍ଧ୍ୟାରେ ରାଇରଙ୍ଗପୁର ଦୁର୍ଗାମଣ୍ଡପ ଛକରେ ଆର୍‌ଆଇ ୫ହଜାର ଟଙ୍କା ନେଇ ଗଣିବା ପରେ ପକେଟରେ ପୁରାଇଥିଲେ। ସେହି ସମୟରେ ଛପି ରହିଥିବା ଭିଜିଲାନ୍ସର ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ।