ଶବଗୃହରେ ସୁଶାନ୍ତଙ୍କୁ ଦେଖି ରିୟା କହିଥିଲେ ‘ସରି ବାବୁ’: ଆଉ..

ବମ୍ବେ: ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା। ଘଟଣାରେ ପ୍ରତିଦିନ କିଛି ନା କିଛି ତଥ୍ୟ ବାହାରକୁ ଆସୁଛି। ଏହାକୁ ନେଇ ପ୍ରେମିକା ରିୟା ଚର୍କବର୍ତ୍ତୀ ଅଧିକ ବିବାଦକୁ ଆସୁଛନ୍ତି। ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କ ଶେଷ ଦର୍ଶନ କରିବାକୁ ଶବଗୃହକୁ ଯାଇଥିଲେ ରିୟା। ସେଠାରେ ସୁଶାନ୍ତଙ୍କୁ ସେ କ୍ଷମା ମାଗିଥିବା କହିଛନ୍ତି ସୁରଜିତ ସିଂ। ସେ କରଣୀ ସେନାର ସଦସ୍ୟ ଥିବା ବେଳେ ଜୁନ୍‌ ୧୫ରେ ରିୟାଙ୍କୁ କପର ହସ୍ପିଟାଲ ନେଇ ଯିବା ସହ ମୃତଦେହ ଦେଖାଇଥିଲେ ବୋଲି କହିଛନ୍ତି।

ସୁରଜିତ କହିଛନ୍ତି, ସୁରଜ ମୋତେ ରିୟା ଆସୁଥିବା କହିଥିଲେ। ପରିବାର ସଦସ୍ୟଙ୍କ ବ୍ୟତିତ ଅନ୍ୟ କାହାକୁ ଯିବାକୁ ଅନୁମତି ନ ଥିଲେ ହେଁ ରିୟାଙ୍କୁ ନେଇ ସେ ମୃତଦେହ ନିକଟକୁ ଯାଇଥିଲେ। ସେଠାରେ ସେ ସୁଶାନ୍ତଙ୍କ ବେକ ଛୁଇଁଥିଲେ। ତାହା ଭିତରକୁ ପଶିବା ଭଳି ମନେ ହୋଇଥିଲା। ଫଳରେ ସୁଶାନ୍ତଙ୍କ ସହ କିଛି ଅସ୍ବାଭାବିକ ଘଟିଥିବା ସନ୍ଦେହ କରିଥିଲେ। ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି। ଏହି ସମୟରେ ରିୟା ମୃତଦେହର ଛାତିରେ ହାତ ରଖି ‘ସରି ବାବୁ’ କହିଥିଲେ।

ଅପରପକ୍ଷେ ହସ୍ପିଟାଲ କର୍ତ୍ତୃପକ୍ଷ ପରିବାରଲୋକଙ୍କୁ ମୃତଦେହ ଦେଖିବାକୁ ଅନୁମତି ଦିଆଯାଏନାହିଁ ବୋଲି କହୁଛନ୍ତି। ହେଲେ ରିୟାଙ୍କୁ କିଭଳି ୪୫ ମିନିଟ୍‌ ସମୟ ଦିଆଗଲା ତାହାକୁ ନେଇ ସନ୍ଦେହ ଉପୁଜିଛି।

Share