ରିଆଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରୁ ହଟିଲା କଟକଣା

ମୁମ୍ବାଇ,୧୦।୧୧: ଦୀର୍ଘ ୧୪ ମାସ ପରେ ବଲିଉଡ୍‌ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରୁ କଟକଣା ଉଠାଇଛନ୍ତି ସ୍ବତନ୍ତ୍ର ଆଣ୍ଟି ଡ୍ରଗ୍ସ କୋର୍ଟ। ଏଥିସହିତ ତାଙ୍କ ଫୋନ ଓ ଲ୍ୟାପଟପ୍‌ ଫେରାଇବାକୁ କୋର୍ଟ ଅନୁମତି ଦେଇଛନ୍ତି। ବ୍ୟାଙ୍କ ଆକାଉଣ୍ଟ ଉପରୁ କଟକଣା ହଟାଇବା ଓ ଇଲେକ୍‌ଟ୍ରୋନିକ୍‌ ଗ୍ୟାଜେଟ୍‌ ଫେରାଇ ଦେବା ପାଇଁ କୋର୍ଟରେ ଅନୁରୋଧ କରିଥିଲେ ରିଆ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ସେ ଫୋନ କିମ୍ବା ଲାପଟପ୍‌ ବିକ୍ରି କରିପାରିବେ ନାହିଁ।

ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ ବ୍ୟବସ୍ଥା କରିବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବର ୮ ତାରିଖରେ ଅଭିନେତ୍ରୀ ରିଆ ଓ ତାଙ୍କ ଭାଇଙ୍କ ସମେତ ୨୪ ଜଣଙ୍କୁ ଗିରଫ କରିଥିଲା ଏନ୍‌ସିବି। ଏହାପରେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଫ୍ରିଜ କରି ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ୩୪ ବର୍ଷୀୟ ଅଭିନେତାଙ୍କ ମୃତଦେହ ଗତ ବର୍ଷ ଜୁନ ୧୪ ତାରିଖରେ ତାଙ୍କ ଫ୍ଲାଟରେ ମିଳିଥିଲା। ପ୍ରଥମେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରିଥିଲା ମୁମ୍ବାଇ ପୋଲିସ। କିନ୍ତୁ ପରବର୍ତ୍ତୀ ସମୟରେ ସୁଶାନ୍ତଙ୍କ ବାପା କେକେ ସିଂ ୨୯ ବର୍ଷୀୟା ଅଭିନେତ୍ରୀ ରିଆଙ୍କ ବିରୋଧରେ ପୁଅକୁ ମାନସିକ ନିର୍ଯାତନା ଦେବା ଏବଂ ଟଙ୍କା ଚୋରି କରିବା ଅଭିଯୋଗ ଆଣିଥିଲେ। ଏହାପରେ ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା।

ଡ୍ରଗ୍ସ କାରବାର ଅଭିଯୋଗରେ ଅଭିନେତ୍ରୀଙ୍କୁ ୨୮ ଦିନ ଜେଲରେ ବିତାଇବାକୁ ପଡ଼ିଥିବା ବେଳେ ତାଙ୍କ ଭାଇ ଶୋଓ୍ବିକଙ୍କୁ ଜାମିନ ପାଇଁ ୩ ମାସ ଅପେକ୍ଷା କରିବାକୁ ପଡ଼ିଥିଲା।

 

Share