‘ବିପ୍ଳବୀ ଗୋବିନ୍ଦ’ ଶୁଟିଂ ଆରମ୍ଭ

ଢେଙ୍କାନାଳ ଅଫିସ, ୩୧।୧୨ ବିଶିଷ୍ଟ ଗାନ୍ଧୀବାଦୀ ତଥା ସଂଗ୍ରାମୀ ଗୋବିନ୍ଦ ମିଶ୍ରଙ୍କ ଜୀବନୀକୁ ନେଇ ପ୍ରାମାଣିକ ଟେଲି ଚଳଚ୍ଚିତ୍ର ‘ବିପ୍ଳବୀ ଗୋବିନ୍ଦ’ର ଶୁଟିଂ ଆରମ୍ଭ ହୋଇଛି। ସଂଗ୍ରାମୀଙ୍କ କର୍ମଭୂମି ଚମ୍ପାପୁର, କଇଥା ସମେତ ଏହାର ଆଖପାଖ ଅଞ୍ଚଳରେ ଏହାର ଶୁଟିଂ ଚାଲିଛି। ମହାତ୍ମା ଗାନ୍ଧୀ ରାତ୍ରିଯାପନ କରିଥିବା କଇଥା-ଚମ୍ପାପୁର ଗାନ୍ଧୀ ଶିକ୍ଷାଶ୍ରମ ପରିସରରେ ବୁଧବାର ଆନୁଷ୍ଠାନିକ ଭାବେ ପୂଜାର୍ଚ୍ଚନା କରାଯିବା ପରେ ଏହାର ଶୁଟିଂ ଆରମ୍ଭ ହୋଇଛି।
ନିରଞ୍ଜନ ମିଶ୍ରଙ୍କ ପରିଚାଳନାରେ ଗୋବିନ୍ଦ ମିଶ୍ର ସ୍ମୃତି ପରିଷଦ ପ୍ରଯୋଜନାରେ ପ୍ରସ୍ତୁତ କରାଯାଉଥିବା ଏହି ପ୍ରାମାଣିକ ଟେଲି ଚଳଚ୍ଚିତ୍ରରେ ବିପ୍ଳବୀ ଗୋବିନ୍ଦଙ୍କ ଜୀବନୀ, ସଂଗ୍ରାମ ଓ ଜାତିର ଗାନ୍ଧୀଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ ଦର୍ଶକ ବହୁ ତଥ୍ୟ ଜାଣିବାକୁ ପାଇବେ। ଜାତୀୟ ଖ୍ୟାତି ସମ୍ପନ୍ନ ନାଟ୍ୟକାର ଦୀନେଶ ଦାସ ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିବାବେଳେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ବିପ୍ଳବୀ ଗୋବିନ୍ଦ ମିଶ୍ରଙ୍କ ତିରୋଧାନ ଦିବସରେ ଏହି ପ୍ରାମାଣିକ ଟେଲି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବାକୁ ଯୋଜନା କରାଯାଇଛି। ଚମ୍ପାପୁର, କଇଥା, ଦଶପଲ୍ଲା, ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଏହାର ଶୁଟିଂ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।