ସମୀକ୍ଷାକଲେ ଡିଜିପି, ବାୟୁସେନା ଅଧିକାରୀ

ଚଣ୍ଡିଖୋଲ,୪ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୫ ତାରିଖରେ ଯାଜପୁର ଜିଲାର ଚଣ୍ଡିଖୋଲ ଆସୁଥିବାରୁ ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ରବିବାର ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ଆସି ଚଣ୍ଡିଖୋଲ ବେଣାପୁରଠାରେ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳ ପରିଦର୍ଶନ କରିବା ସହ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ବାୟୁସେନାର ଅଧିକାରୀମାନେ ହେଲିକପ୍ଟରରେ ଆସି କାର୍ଯ୍ୟକ୍ରମର ତନଖି କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ ଆସି ୩୫ ହଜାର କୋଟି ଟଙ୍କାର ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ଏହାପରେ ଉପସ୍ଥିତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨ ଲକ୍ଷ ଲୋକଙ୍କ ସମାଗମ ହେବାର ଅଛି ବୋଲି ଯାଜପୁର ଜିଲା ଭାଜପା ସଭାପତି ଗୌତମ ରାୟ ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଜାତୀୟ ରାଜପଥ ୮ ଲେନ କାର୍ଯ୍ୟର ଶିଳାନ୍ୟାସ, ଜୟପୁର-ନବରଙ୍ଗପୁର ରେଳପଥର ଶିଳାନ୍ୟାସ, ଝାଡ଼ପୋଖରିଆ-ବାରିପଦା-ବାଲେଶ୍ୱର ୧୮ନଂ. ଜାତୀୟ ରାଜପଥ, ଟାଙ୍ଗୀ- ଭୁବନେଶ୍ୱର ୧୬ନଂ. ଜାତୀୟ ରାଜପଥ ଅଂଶର ୬ ଲେନ କାର୍ଯ୍ୟ, ୪୯ନଂ. ଜାତୀୟ ରାଜପଥର ଅଂଶ, ଦୈତାରୀ-ଟମକା-ଯଖପୁରା ଦୋହରୀକରଣ ରେଳପଥ, ଖୋର୍ଦ୍ଧାରୋଡ-ବାରଙ୍ଗ ତୃତୀୟ ରେଳପଥର ଲୋକାର୍ପଣ କରିବା ସହ ପାରାଦୀପ ଏଲ୍‌ପିଜି ଟର୍ମିନାଲର ଶିଳାନ୍ୟାସ କରିବେ। ଏଥିସହିତ ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳକୁ ଶୁଭାରମ୍ଭ କରିବେ। ପୁରୀରୁ ଭାୟା କେନ୍ଦୁଝର ଦେଇ ନୂଆଦିଲ୍ଲୀ ନୂତନ ରେଳ ଚଳାଚଳର ଶୁଭାରମ୍ଭ କରିବେ। ଯାଜପୁର ଜିଲାରେ ରେଳ କଣ୍ଟେନର ଡିପୋ ଓ ଯାଜପୁର-କେନ୍ଦୁଝର ମଧ୍ୟରେ ୱାଗନ ଯାଞ୍ଚ ପଏଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ଭାଜପା ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି॥ ବହୁ ରାଜ୍ୟସ୍ତରୀୟ ଭାଜପା ନେତା ସଭା ସ୍ଥଳକୁ ଆସି ତନଖି କରୁଥିବାବେଳେ ସୋମବାର ରାଜ୍ୟ ନେତୃତ୍ୱ ଓ କେନ୍ଦ୍ରମନ୍ତ୍ରୀ ସଭା ସ୍ଥଳ ପରିଦର୍ଶନରେ ଆସିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି।