ଓଡ଼ିଶା ସୀମାନ୍ତ ଗାଁରେ ଆନ୍ଧ୍ରର ସମୀକ୍ଷା

ପଟ୍ଟାଙ୍ଗୀ, ୨୧।୭(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତ ସୀମାନ୍ତ ନେରିଡ଼ିବାଲସା ଓ ତାଡ଼ିବାଲସାରେ ଆନ୍ଧ୍ରର ପାର୍ବତୀପୁରମ୍‌ ମାନ୍ୟମ୍‌ ଜିଲାପାଳ ନିଶାନ୍ତ କୁମାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି।  ଆନ୍ଧ୍ରର ବିଭିନ୍ନ କଲ୍ୟାଣକାରୀ ଯୋଜନା  ଉକ୍ତ ପଞ୍ଚାୟତରେ ଠିକ୍‌ଭାବେ ପହଞ୍ଚୁଛି କି ନାହିଁ ଏବଂ ଆନ୍ଧ୍ର ଅଧିକାରୀ ଓ କର୍ମଚାରୀ ସେମାନଙ୍କୁ ସହଯୋଗ କରୁଛନ୍ତି କି ନାହିଁ  ତାହା ପଚାରି ବୁଝିଥିଲେ। ଏହି ଗସ୍ତ ଖବରପାଇ କୋରାପୁଟ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସରପଞ୍ଚ ଲିୟୁ ଗେମେଲ, ପଟ୍ଟାଙ୍ଗୀ ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ, ସୁନାବେଡ଼ା ଏସ୍‌ଡିପିଓ ମନୋଜ କୁମାର ବେହେରା, କୋଟିଆ ଥାନାଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକ ନେରିଡ଼ିବାଲସାକୁ ଯାଇଥିଲେ। କିନ୍ତୁ ସେତେବେଳକୁ ଆନ୍ଧ୍ର ଅଧିକାରୀମାନେ ଫେରିଯାଇଥିଲେ।
ଓଡ଼ିଶାର କୋଟିଆକୁ ନେଇ ପାର୍ବତୀପୁରମ୍‌ ମାନ୍ୟମ୍‌ ଜିଲା ଗଠନ ପରେ  ପ୍ରଥମ କରି ଏହାର ଜିଲାପାଳ  ଓଡ଼ିଶା  ସୀମାନ୍ତ ଗ୍ରାମରେ ଅନୁପ୍ରବେଶ କରି ଉନ୍ନୟନ କାର୍ଯ୍ୟ ସମୀକ୍ଷା  କରିଛନ୍ତି।  ଜଗନ୍ନା ଆଶରା, ଜଗନ୍ନା ଟୋଡୁ ଓ ଆମ୍ମା ଓଡି ପ୍ରମୁଖ ଇଣ୍ଟରନେଟ ସମସ୍ୟା ଯୋଗୁ ଠିକ୍‌ ସମୟରେ ଚାଉଳ ପାଉ ନ ଥିବା ସମ୍ପର୍କରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜଗନ୍ନା କଲୋନି ଘର ମଞ୍ଜୁର କରିବାକୁ ଦାବି କରିଥିଲେ ଗ୍ରାମବାସୀ। ଉକ୍ତ ଘର ପାଇଁ ଆବେଦନ କରିଥିବା ଦରଖାସ୍ତ ତାଲିକା ପ୍ରସ୍ତୁତ କରିବାକୁ ସାଲୁର ବିଡିଓ ଜି. ପାର୍ବତୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲାପାଳ ତାଡ଼ିବାଲସା ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ର ପାଇଁ ଗ୍ରାମୀଣ ଜଳ ଯୋଗାଣ ବିଭାଗ ଦ୍ୱାରା ନିଆଯାଇଥିବା  ମଧୁରଜଳ ଯୋଜନା କାର୍ଯ୍ୟ ଯାଞ୍ଚ କରିଥିଲେ। ସାଲୁର ତହସିଲଦାର ଭି.ରାମା ସ୍ବାମୀ, କୋଟିଆ ପଞ୍ଚାୟତ ପାଇଁ ନିଯୁକ୍ତି ପାଇଥିବା ସର୍କଲ ଇନ୍ସପେକ୍ଟର ରୋହିନୀ ପାଥି ପ୍ରମୁଖ ଉପସ୍ଥିତ ଥିଲେ।