ରାଜସ୍ବ ହ୍ରାସ: ବନ୍ଦ ହେବ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

ଭୁବନେଶ୍ୱର,୨୯।୬(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ କରାଯାଉଛି। ଏଥିଯୋଗୁ ରାଜ୍ୟ ଅର୍ଥନୀତି ବହୁ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ସମେତ ରାଜ୍ୟର ଆୟ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏଭଳି ଏକ ସ୍ଥିତି ଉପୁଜିବା ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମା ସାଙ୍ଗକୁ ନିଜସ୍ବ ଯୋଜନା କାର୍ଯ୍ୟକାରୀ କରିବାରେ ସମସ୍ୟା ସୃଷ୍ଟି ହେବାକୁ ଲାଗିଲାଣି। ସରକାର ନିଜସ୍ବ ସ୍ବତନ୍ତ୍ର ଯୋଜନା ବାବଦକୁ ରଖିଥିବା ଧାର୍ଯ୍ୟ ଅର୍ଥ ମଧ୍ୟ କାଟ କରିବାକୁ ବସିଲେଣି। ଏହାକୁ ନେଇ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଗତବର୍ଷ ପ୍ରଥମ ୩ ମାସରେ ଯେତିକି ରାଜସ୍ବ ଆଦାୟ ହୋଇଥିଲା ଏଥର ସେହି ସମୟ ମଧ୍ୟରେ ତା’ର ଅଧାରୁ କମ୍‌ ରାଜସ୍ବ ମିଳିଛି। କେନ୍ଦ୍ର ସରକାର କେତେ ମାତ୍ରାରେ ଆର୍ଥିକ ସହାୟତା କରୁଛନ୍ତି ତାହା ଦେଖିବାକୁ ପଡିବ। ନଚେତ୍‌ ସରକାର ଋଣ କରି କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଜସ୍ବ ଯୋଜନା କାର୍ଯ୍ୟକାରୀ କରିବେ। କିନ୍ତୁ ବଜେଟ୍‌ରେ ଯେଉଁସବୁ ନିଜସ୍ବ ଗୁରୁତ୍ୱପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ ହେବାକୁ ଥିଲା ତାହା ସବୁ କରିବା ସେତେଟା ସମ୍ଭବପର ନୁହେଁ ବୋଲି ବେହେରା କହିଛନ୍ତି।
ଚଳିତ ଆର୍ଥିବର୍ଷ ୨୦୨୦-୨୧ ପାଇଁ ରାଜ୍ୟ ସରକାର ୧ଲକ୍ଷ ୫୦ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖିଛନ୍ତି। ଏହାର ସିଂହଭାଗ ଅର୍ଥାତ୍‌ ୬୫ହଜାର ୬ଶହ ୫୫କୋଟି ସରକାର ପ୍ରଶାସନିକ ବ୍ୟୟ ପାଇଁ ଧାର୍ଯ୍ୟ କରିଛନ୍ତି। ଏହାସହ ୭୪ହଜାର କୋଟି ଟଙ୍କା ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ଖର୍ଚ୍ଚ ପାଇଁ ବ୍ୟୟ ଅଟକଳ ରଖିଥିଲେ। ଏହାଛଡା ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ମଧ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହି ବ୍ୟୟ ଲାଗି ସରକାର ମୁଖ୍ୟତଃ ରାଜସ୍ବ ପ୍ରାପ୍ତିରୁ ୧ଲକ୍ଷ ୨୪ ହଜାର ୩ଶହ କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ବାବଦକୁ ୨୫ହଜାର ୭ଶହ କୋଟି ଭରଣ ଲାଗି ଆକଳନ କରିଥିଲେ। ଚଳିତବର୍ଷ ଲାଗି ସରକାର ରାଜ୍ୟର ନିଜସ୍ବ ଟିକସ ୩୮ହଜାର ୩୫୦କୋଟି ଟଙ୍କା, ନିଜସ୍ବ ଅଣଟିକସ ରାଜସ୍ବ ୧୭ହଜାର ୬୫୦ କୋଟି ଟଙ୍କା, କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶଭାବେ ୩୬ହଜାର ୩ଶହ କୋଟି ଟଙ୍କା ଏବଂ କେନ୍ଦ୍ରରୁ ମିଳିବାକୁ ଥିବା ଅନୁଦାନ ୩୨ହଜାର କୋଟି ଟଙ୍କା ଅନ୍ତର୍ଭୁକ୍ତ ଥିଲା।
ମାତ୍ର ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ସରକାରଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଅବସ୍ଥାରେ ପହଞ୍ଚିଛି। ରାଜସ୍ବ ଆୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ବଜେଟ୍‌ ପ୍ରସ୍ତୁତ ହୋଇଥାଏ। କରୋନା ପରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ପ୍ରାୟ ୭ହଜାର କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା ବେଳେ ଏବର୍ଷ ଏହି ସମୟ ଭିତରେ ମାତ୍ର ୩ ହଜାର କୋଟି ଆଦାୟ ହୋଇଥିବା ଜଣାପଡିଛି। ଗତବର୍ଷ ସେହିଭଳି ଖଣି କ୍ଷେତ୍ରରୁ ଏହି ଦୁଇ ମାସ ମଧ୍ୟରେ ୨୧ଶହ କୋଟି ଟଙ୍କାର ରାଜସ୍ବ ମିଳିଥିଲା ବେଳେ ଏଥର ଏହାର ଅଧା ମଧ୍ୟ ହୋଇନାହିଁ। ସେହିପରି ଗତବର୍ଷ ଏପ୍ରିଲ- ମେ’ରେ ୨୧ଶହ କୋଟି ଚଙ୍କା ଜିଏସ୍‌ଟି ଆଦାୟ ହେଇଥିଲା ବେଳେ ଏଥର ଏ ବାବଦରେ ମଧ୍ୟ ଅଧା ହୋଇପାରି ନାହିଁ। ଜିଏସ୍‌ଟି, ଭ୍ୟାଟ ଏବଂ ଖଣି କ୍ଷେତ୍ରକୁ ଛାଡି ଅବକାରୀ ଶୁଳ୍କ, ମୋଟର ଯାନ, ପଞ୍ଜୀକରଣ ସହ ଷ୍ଟାମ୍ପ ଡ୍ୟୁଟିରୁ ମଧ୍ୟ ଆୟ କମିବାରେ ଲାଗିଛି। ଏସବୁକୁ ଦେଖିଲେ ମୁଖ୍ୟତଃ ରାଜ୍ୟ ସରକାର ବଜେଟ୍‌ରେ ନିଜସ୍ବ କିଛି ସ୍ବତନ୍ତ୍ର ଯୋଜନା ପାଇଁ ଯେଇଁ ଅର୍ଥ ଖର୍ଚ୍ଚ କରିବେ ବୋଲି ବ୍ୟବସ୍ଥା କରିଥିଲେ ସେଥିରେ ଲକ୍ଷ୍ୟଚ୍ୟୁତି ହେଲା ଭଳି ମନେହେଉଛି।
ଅନ୍ୟପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନିକଟରେ ପୂର୍ତ୍ତ ବିଭାଗ ତରଫରୁ ହୋଇଥିଲା। ସରକାରଙ୍କ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂର୍ତ୍ତ ବିଭାଗ ତରଫରୁ ବନ୍ଦ କରିବା ସକାଶେ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ସେହିପରି ରାଜ୍ୟଗୁଡିକର କେତେଗୁଡିଏ ଡାକ୍ତରଖାନା କୋଠା କାର୍ଯ୍ୟ ମଧ୍ୟ ସରକାର ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହିପରି ରାଜ୍ୟ ସରକାର ନିଜସ୍ବ ଅର୍ଥରେ କରିବାକୁ ଥିବା ବିଭିନ୍ନ କାର୍ଯ୍ୟ ବନ୍ଦ ରଖିବାକୁ ଆଲୋଚନା କରିଛନ୍ତି। କେବଳ କେନ୍ଦ୍ରୀୟ ଅର୍ଥ ସହାୟତାରେ ହେବାକୁ ଥିବା କାର୍ଯ୍ୟ ସରକାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ କରୋନା ପ୍ରଭାବ କେନ୍ଦ୍ର ସରକାରଙ୍କ ଉପରେ ପଡିଥିବାରୁ କେନ୍ଦ୍ରୀୟ ଯୋଜନା ବାବଦକୁ ବ୍ୟାପକ ଅର୍ଥ ରାଜ୍ୟକୁ ଆସିବା ବନ୍ଦ ହୋଇଥିବା ଜଣାପଡିଛି। ଏଭଳି ପରିସ୍ଥିତିରେ ଏହାର ପ୍ରଭାବ ସିଧାସଳଖ ଶ୍ରମିକମାନଙ୍କ ଉପରେ ପଡିବାର ଆଶଙ୍କା ରହିଛି।