ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଏତଲା ପାଇବା ପରେ ସୋହେଲା ଥାନା ପୋଲିସ ଏକ ମାମଲା (ନଂ-୨୫୮/୨୬) ରୁଜୁ କରିଛି। ଅନ୍ୟପଟେ ଏହି ମାମଲାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସୋହେଲା ତହସିଲ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ରାଜସ୍ବ ନିରୀକ୍ଷକ ଏବଂ କର୍ମଚାରୀମାନେ ତହସିଲ ଅଫିସରେ ଧାରଣାରେ ବସିଥିଲେ।
ସେହିପରି ବରଗଡ଼ରେ ଜିଲାର ରାଜସ୍ବ ନିରୀକ୍ଷକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ଆବଶ୍ୟକ ପଡିଲେ ଅଭିଯୁକ୍ତମାନେ ଗିରଫ ନ ହେବା ପର୍ଯ୍ୟନ୍ତ ଜିଲାର ସମସ୍ତ ରାଜସ୍ବ ନିରୀକ୍ଷକ ଏବଂ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଜିଲା ରାଜସ୍ବ ନିରୀକ୍ଷକ ସଂଘର ସମ୍ପାଦକ ନରୋତ୍ତମ ପଣ୍ଡା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟା ୧୫ ମିନିଟରେ ରାଜସ୍ବ ନିରୀକ୍ଷକ ବାଦି ତାଙ୍କ କାର୍ଯ୍ୟ କରୁଥିବା ବେଳେ ବଞ୍ଜାରୀ ଗ୍ରାମର ଛୋଟେଲାଲ ପାତ୍ର ଏବଂ ସୋହେଲାର ଗୋପବନ୍ଧୁ ଦାସ କାର୍ଯ୍ୟାଳୟକୁ ପଶିଥିଲେ ଏବଂ ରାଜସ୍ବ ନିରୀକ୍ଷକ ବାଦିଙ୍କୁ ଅତର୍କିତ ଆକ୍ରମଣ କରିବା ସହିତ ତାଙ୍କୁ ଘୋଷାଡି ନେଇଥିଲେ।
ସେଠାରେ ଉପସ୍ଥିତ ସରକଣ୍ଡା ରାଜସ୍ବ ନିରୀକ୍ଷକ ପରିସ୍ଥିତି ଶାନ୍ତ କରିବାକୁ ଯିବାବେଳେ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ସରକାରୀ କାଗଜ ପତ୍ର ଫିଙ୍ଗା ଫୋପଡା କରି ଲାପଟପ ଭାଙ୍ଗି ଦେବାର ଉଦ୍ୟମ କରିଥିବା ଏବଂ ଅଫିସକୁ ତାଲା ଦେଇ ଦେବାର ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ପୋଲିସ ଏହାର ଅଧିକ ତଦନ୍ତ କରୁଛି।