କଟ୍‌ ଅଫ୍‌ ମାର୍କରେ ରେଭେନ୍ସା ଆଗରେ

ଭୁବନେଶ୍ୱର, ୨୭।୯(ବ୍ୟୁରୋ): ଯୁକ୍ତ୨ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୫୪,୬୩୩ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୫,୭୮୭ ଛାତ୍ରୀ ଥିବା ବେଳେ ୨୮,୮୪୪ ଜଣ ଛାତ୍ର ଏବଂ ୨ଜଣ କିନ୍ନର ରହିଛନ୍ତି। ସେହିପରି ୫୪,୬୩୩ ଛାତ୍ରୀଛାତ୍ରଙ୍କ ମଧ୍ୟରୁ କଳାରେ ୪୦,୮୭୧ଜଣ ଥିବା ବେଳେ ବାଣିଜ୍ୟରେ ୨,୬୪୪, ବିଜ୍ଞାନରେ ୧୦,୩୮୨, ଧନ୍ଦାମୂଳକ ଶିକ୍ଷାରେ ୪୬୭ ଏବଂ ସଂସ୍କୃତରେ ୨୬୯ଜଣ ରହିଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟରେ କଳା, ବାଣିଜ୍ୟ ଓ ବିଜ୍ଞାନ ତିନୋଟି ବିଷୟରେ କଟକ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ଆଗରେ ରହିଛି। ଏଠାରେ କଳାରେ ଦ୍ୱିତୀୟ ପର୍ଯାୟ କଟ୍‌ ଅଫ୍‌ ୭୬.୫% ଯାଇଥିବା ବେଳେ ବିଜ୍ଞାନରେ ୯୦% ଏବଂ ବାଣିଜ୍ୟରେ ୮୦% ଯାଇଛି। ସେହିପରି କଳାରେ ଦ୍ୱିତୀୟରେ ଭୁବନେଶ୍ୱର ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୭୬.୪%, ଭଦ୍ରକ ଉଚ୍ଚ ମାଧ୍ୟମିକ ସ୍କୁଲ ୭୩.୧୭% ସହ ତୃତୀୟରେ ରହିଛନ୍ତି। ବିଜ୍ଞାନରେ ଦ୍ୱିତୀୟ ସ୍ଥାନରେ ଭୁବନେଶ୍ୱର ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି। ଏଠାରେ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ୮୮.୩୩% ଥିବା ବେଳେ ବାଲେଶ୍ୱର ସୋରର ଉପେନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ସ୍କୁଲ ୮୬.୩୩% ସହ ତୃତୀୟ ସ୍ଥାନରେ ରହିଛି। ବାଣିଜ୍ୟରେ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୭୯.୫% ସହ ଦ୍ୱିତୀୟରେ ଥିବା ବେଳେ କଟକର ଶୈଳବାଳା ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ୭୫.୫% ସହ ତୃତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଧନ୍ଦାମୂଳକ ଶିକ୍ଷାରେ କଳହାଣ୍ଡି ଧର୍ମଗଡ଼ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ସ୍କୁଲ ୭୦% ସହ ପ୍ରଥମ ସ୍ଥାନରେ ଥିବା ବେଳେ ସଂସ୍କୃତରେ ବଲାଙ୍ଗୀର ବିଦ୍ୟାଭୂଷଣ ସଂସ୍କୃତ ଉଚ୍ଚ ମାଧ୍ୟମିକ ସ୍କୁଲ ୪୩.୧୭% ସହ ପ୍ରତମ ସ୍ଥାନରେ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରୀଛାତ୍ର ୨୯ରୁ ଅକ୍ଟୋବର ୧ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇବେ। ଏହି ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍‌ ପାଇଁ ଅକ୍ଟୋବର ୪ରେ ତାଲିକା, ୫ ସୁଦ୍ଧା ପଞ୍ଜିକରଣ ଏବଂ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଏହାପରେ ଅକ୍ଟୋବର ୭ ତାରିଖରେ ନାମଲେଖା ହେବ। ତେବେ ଏଥର ପ୍ରାୟ ୫ ଲକ୍ଷ ଯୁକ୍ତ୨ ସିଟ୍‌ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୩୫ହଜାର ୬୧୨ ଜଣ ଛାତ୍ରୀଛାତ୍ର।