ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ଗୁପ୍ତ ଏଜେଣ୍ଡା ସରକାର ପ୍ରକାଶ କରନ୍ତୁ: ପ୍ରଦୀପ ପୁରୋହିତ

ବରଗଡ଼ ଅଫିସ,୪।୨: ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ ବୁଧବାର ତୋଫାନୀ ଗସ୍ତରେ ଗନ୍ଧମାର୍ଦ୍ଦନ ପାହାଡ଼ର ଉଭୟ ପାଖରେ ଥିବା ନୃସିଂହନାଥ ଓ ହରିଶଙ୍କର ମନ୍ଦିର ପରିଦର୍ଶନରେ ଆସିଥିଲେ। ଏହି ଗସ୍ତର କିଛି ଗୁପ୍ତ ଏଜେଣ୍ତା ରହିଛି କି ବୋଲି ପଦ୍ମପୁରର ପୂର୍ବତନ ବିଧାୟକ ତଥା ଭାଜପାର ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଚାହିଁଛନ୍ତି।
୧୧ବର୍ଷ ତଳେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୃସିଂହନାଥ ମନ୍ଦିର ପରିଦର୍ଶନରେ ଆସିଥିଲେ ଓ ପର୍ଯ୍ୟଟନସ୍ଥଳୀର ସମସ୍ତ ପ୍ରକାର ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ଘୋଷଣା କରିଯାଇଥିଲେ। ରାଜ୍ୟ ସରକାର ପଶ୍ଚିମଓଡ଼ିଶାର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ଓ ହରିଶଙ୍କର କୌଣସି ପ୍ରକାର ବିକାଶ କଲେ ନାହିଁ। ୧୧ ବର୍ଷ ପରେ ପୁଣି ଥରେ ରାଜ୍ୟ ସରକାର ଏହି ୨ ପର୍ଯ୍ୟଟନସ୍ଥଳୀକୁ ମନେ ପକାଇଥିବାରୁ ମୁଁ ସ୍ବାଗତ କରୁଛି।

ଗନ୍ଧମାର୍ଦ୍ଦନ ପାହାଡ଼ର ପ୍ରାକୃତିକ ଶୋଭାରେ ଭରପୂର ଏହି ଦୁଇ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ମୁଁ ସ୍ବାଗତ କରୁଛି। ଏକଦା ଗୌତମବୁଦ୍ଧଙ୍କ ପଟ୍ଟଶିଷ୍ୟ ନାଗାର୍ଜୁନଙ୍କ ଦ୍ବାରା ଗନ୍ଧମାର୍ଦ୍ଦନ ପାହାଡ଼ରେ ପ୍ରତିଷ୍ଠିତ ବୌଦ୍ଧ ବିଶ୍ବବିଦ୍ୟାଳୟକୁ ଚିହ୍ନଟ ଓ ତାର ସୁରକ୍ଷା, ନୃସିଂହନାଥରୁ ହରିଶଙ୍କର ଭିତରେ ଯାତ୍ରୀମାନଙ୍କ ପାଇଁ ରୋପ ଓ୍ବେ ନିର୍ମାଣ, ଯାତ୍ରୀମାନଙ୍କ ରହିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା, ନୃସିଂହନାଥ ହରିଶଙ୍କରକୁ କେନ୍ଦ୍ରୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ପୁରୋହିତ ଦାବି କରିଛନ୍ତି।

ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି, ତେବେ ଏଥିପାଇଁ ଚଳିତ ବଜେଟ ଅଧିବେଶନରେ ସରକାର ପାଣ୍ଠିର ବ୍ୟବସ୍ଥା କରନ୍ତୁ। ବେଦାନ୍ତ କମ୍ପାନୀ ବକ୍‌ସାଇଟ୍‌ ଯୋଗାଇ ଦେବା ପାଇଁ ଗନ୍ଧମାର୍ଦ୍ଦନକୁ ସଚିବମାନଙ୍କ ଗସ୍ତର ଯଦି ଗୁପ୍ତ ଏଜେଣ୍ତା ଅଛି, ତେବେ ରାଜ୍ୟ ସରକାର ଏହାକୁ ପ୍ରକାଶ କରନ୍ତୁ । ଗନ୍ଧମାର୍ଦ୍ଦନରେ ଖଣିଖନନ ପାଇଁ ଯଦି ଉଦ୍ଦେଶ୍ୟ ଅଛି ଏହାକୁ ପଶ୍ଚିମ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ ବୋଲି ପୂର୍ବତନ ବିଧାୟକ ପୁରୋହିତ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି।