‘୨୦୨୯ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ହେବେ INDIA ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ’: ବଡ଼ ଦାବି କଲେ…

ନୂଆଦିଲ୍ଲୀ, ୧୬।୫: ଲୋକ ସଭା ନିର୍ବାଚନ ୨୦୨୯ ପାଇଁ ଏବେ ବି ସମୟ ବାକି ଅଛି। ତେବେ କଂଗ୍ରେସ ମଧ୍ୟରେ ଏବେଠାରୁ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଲାଣି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ‘ଇଣ୍ଡିଆ’ (INDIA) ମେଣ୍ଟରେ ପ୍ରଧାନମନ୍ତ୍ରୀ ପଦର ଦାବିଦାରୀକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ‘ଇଣ୍ଡିଆ’ ମେଣ୍ଟର ପ୍ରଧାନମନ୍ତ୍ରୀ ପଦର ପ୍ରାର୍ଥୀ ଭାବେ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିଛନ୍ତି। ଏହାସହ କଂଗ୍ରେସ ଦଳ ଆଗାମୀ ଏକ ଦଶନ୍ଧି ପର୍ଯ୍ୟନ୍ତ କେନ୍ଦ୍ର ଶାସନ ଗାଦିରେ ରହିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି।

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀ ଶୁକ୍ରବାର ଆଶା ପ୍ରକଟ କରିଛନ୍ତି ଯେ, ୨୦୨୮ରେ ରାଜ୍ୟ ବିଧାନସଭା ପାଇଁ ହେବାକୁ ଥିବା ଆଗାମୀ ନିର୍ବାଚନରେ କଂଗ୍ରେସ ବିଜୟୀ ହେବ ଏବଂ ସେ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ନିଜ ପଦରେ ବଜାୟ ରହିବେ। ଏକ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରେଭନ୍ତ ରେଡ୍ଡୀ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଗାମୀ ଲୋକ ସଭା ନିର୍ବାଚନରେ ‘ଇଣ୍ଡିଆ’ (ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ) ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ। ସେ କହିଛନ୍ତି ଯେ କଂଗ୍ରେସ ପ୍ରଥମେ ରାହୁଲ ଗାନ୍ଧୀଙ୍କୁ ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବ ଏବଂ ପରେ ‘ଇଣ୍ଡିଆ’ ମେଣ୍ଟରେ ସାମିଲ ଥିବା ଅନ୍ୟ ଦଳଗୁଡ଼ିକୁ ଏଥିପାଇଁ ରାଜି କରାଇବ। ମୁଖ୍ୟମନ୍ତ୍ରୀ କହିଛନ୍ତି ‘ଇଣ୍ଡିଆ’ ମେଣ୍ଟ ଏକ ନୀତିଗତ ଦସ୍ତାବିଜ (ପଲିସି ଡକ୍ୟୁମେଣ୍ଟ) ଜାରି କରିବ, ଯାହା ଆଧାରରେ ସେ ଜନସାଧାରଣଙ୍କଠାରୁ ଜନାଦେଶ ମାଗିବେ।

ରେଭନ୍ତ ରେଡ୍ଡୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି , ଜନସାଧାରଣ ୨୦୨୮ରେ ଦଳକୁ ଆଉ ଏକ କାର୍ଯ୍ୟକାଳ ଦେବେ। ଏହାସହ ସେ କହିଛନ୍ତି ଯେ ସେ ୨୦୩୪ ପରେ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନାହିଁ ଏବଂ ଏହା ବଦଳରେ ଆଗାମୀ ପିଢ଼ିକୁ ଦାୟିତ୍ୱ ହସ୍ତାନ୍ତର କରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ନିଜର ଅଭିଜ୍ଞତାକୁ ବ୍ୟବହାର କରି ଦେଶର ସେବା କରିବେ ଏବଂ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବା ତାଙ୍କର ଲକ୍ଷ୍ୟ। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଭବିଷ୍ୟତରେ ତାଙ୍କୁ ଯେଉଁ ଦାୟିତ୍ୱ ବି ଦେବେ, ସେ ତାହାକୁ ସୁଚାରୁ ରୂପେ ତୁଲାଇବେ।

ହାଇଦ୍ରାବାଦରେ ନିକଟରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦିଆଯାଇଥିବା ‘ମୋ ସହ ଯୋଡ଼ିହୁଅନ୍ତୁ’ (ମେରେ ସାଥ ଜୁଡ଼େଁ) ବୟାନ ଉପରେ ରେଡ୍ଡୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କେବଳ ବିକାଶମୂଳକ କାର୍ଯ୍ୟରେ ତାଙ୍କର ସହଯୋଗ ମାଗୁଥିଲେ। ସେ କହିଛନ୍ତି ଯେ ଏହି ଆଲୋଚନା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ସହଯୋଗକୁ ନେଇ ଥିଲା। ରେଭନ୍ତ ରେଡ୍ଡୀ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି ମୋର ରାଜନୈତିକ ପ୍ରତିବଦ୍ଧତା ବିଷୟରେ ଭଲଭାବେ ଜାଣନ୍ତି।’ ସେ ଦାବି କରିଛନ୍ତି ଯେ ତାଙ୍କ ପୂର୍ବବର୍ତ୍ତୀ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ବିକାଶ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହ କେବେ ହେଲେ ସମନୱୟ ରକ୍ଷା କରିନଥିଲେ।

Odisha’s No.1 Odia Daily

 

 

Share
Tags: National