ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ କରିଆସୁଛନ୍ତି। ବିଶେଷକରି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ହେବା ପରେ ନଗଦକୁ ଛାଡ଼ି ସ୍ମାର୍ଟ ହୋଇ ଡିଜିଟାଲ କାରବାର ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଇଥିବା ବେଳେ ଜନସାଧାରଣ ତା’ ପଛରେ ଧାଇଁଲେ। ସେହି ଅନୁଯାୟୀ ଭାରତୀୟମାନେ ୟୁନିଫାଏଡ୍‌ ପେମେଣ୍ଟସ୍‌ ଇଣ୍ଟରଫେସ୍‌ ବା ୟୁପିଆଇ ମଞ୍ଚରେ କାରବାର ବଢ଼ାଇଚାଲିଲେ। ଏକ ତଥ୍ୟ ଅନୁଯାୟୀ ଭାରତରେ ଜୁନ୍‌ ୨୦୨୬ ସୁଦ୍ଧା ୫୫ କୋଟିରୁ ଅଧିକ ୟୁପିଆଇ ବ୍ୟବହାରକାରୀ ଅଛନ୍ତି। କିନ୍ତୁ ଏହି ପ୍ଲାଟଫର୍ମ ଦେଶର ୮୦ ପ୍ରତିଶତରୁ ଅଧିକ ଡିଜିଟାଲ ପେମେଣ୍ଟ ପରିମାଣ ପରିଚାଳନା କରେ ଏବଂ ବାର୍ଷିକ ୩୧୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମୋଟ କାରବାର ମୂଲ୍ୟ ପ୍ରକ୍ରିୟାକରଣ କରୁଛି । ଡିଜିଟାଲ ନେଣଦେଣର ଆକାର ବଢ଼ିବା ପରେ କେନ୍ଦ୍ର ସରକାର ଚିନ୍ତା କରି ୟୁପିଆଇ କାରବାର ଉପରେ ଶୁଳ୍କ ଲଗାଇବା ପାଇଁ ଯୋଜନା କରିଥିବା ବିଷୟ ଆଲୋଚନାକୁ ଆସିଛି। ନିକଟରେ ଲୋକ ସଭାରେ ଟାକ୍ସେଶନ ଓ ଅନ୍ୟାନ୍ୟ ସଂଶୋଧନ ବିଲ୍‌-୨୦୨୬ (ପେମେଣ୍ଟସ୍‌ ଆଣ୍ଡ୍‌ ସେଟେଲମେଣ୍ଟ ସିଷ୍ଟମ୍‌ ଆକ୍ଟ, ୨୦୦୭) ଗୃହୀତ ହେବା ପରେ ଏହି ଆଶଙ୍କା ବୃଦ୍ଧି ପାଇଛି। ଏହା ପରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ସାଧାରଣ ବ୍ୟକ୍ତି-ରୁ-ବ୍ୟକ୍ତି (ପିଟୁପି) ଟ୍ରାନ୍ସଫର ଏବଂ ସାଧାରଣ ଗ୍ରାହକ ଦେଣନେଣ ସମ୍ପୂର୍ଣ୍ଣ ମାଗଣା ଅଛି। କେବଳ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌) ଶୁଳ୍କ ଲାଗୁ କରାଯିବ, ଯାହା ଅତ୍ୟନ୍ତ ନଗଣ୍ୟ। ଏତିକିରୁ ବୁଝିବା କଷ୍ଟକର ନୁହେଁ ଯେ, ସରକାର ଭାରତର ବ୍ୟାପକ ଡିଜିଟାଲ କାରବାର ଉପରେ ଅର୍ଥ ଆଦାୟ ଲାଗି ଆଖି ପକାଇ ସାରିଲେଣି। ଭାରତୀୟମାନେ ପୂର୍ବରୁ ଭାବୁଥିଲେ ଆୟକର ଦେଉଥିବା ବ୍ୟକ୍ତି କେବଳମାତ୍ର ଟିକସଦାତା। କ୍ରମଶଃ ଏବେ ଭାରତୀୟମାନେ ବୁଝିଲେଣି ଯେ, ପ୍ରତ୍ୟେକ ନାଗରିକ ତା’ର ଦୈନନ୍ଦିନ ଜୀବନରେ ବ୍ୟବହୃତ ପ୍ରତି ସାମଗ୍ରୀ ପାଇଁ ବାରମ୍ବାର ଟିକସ ଦେଉଛି। ତାହାର ସ୍ପଷ୍ଟ ରୂପ ହେଲା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)। କିନ୍ତୁ ୟୁପିଆଇ ଉପରେ ଏମ୍‌ଡିଆର୍‌ ଲାଗୁ ହେବା ପରେ ଯେକୌଣସି ଦ୍ରବ୍ୟ କିଣିବା ପାଇଁ ଯେଉଁ ଡିଜିଟାଲ କାରବାର ମାଧ୍ୟମ ବ୍ୟବହାର କରାଯିବ ତା’ ଉପରେ ମଧ୍ୟ ଟିକସ ପଡ଼ିବ।
ଇତିହାସ ଦେଖିଲେ ୧୯୧୮ ମସିହାରେ ଆମେରିକାର ଫେଡେରାଲ ରିଜର୍ଭ ପ୍ରଥମେ ଟେଲିଗ୍ରାଫ୍‌ଭିତ୍ତିକ ବ୍ୟବସ୍ଥା ମାଧ୍ୟମରେ ଇଲେକ୍‌ଟ୍ରୋନିକ୍‌ ଫଣ୍ଡ୍‌ସ ଟ୍ରାନ୍ସଫର (ଇଏଫ୍‌ଟି) ଆରମ୍ଭ କରିଥିଲା। ସୁନା ଓ ନଗଦ ଅର୍ଥ ବ୍ୟବହାରକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଫିନ୍‌ଲାଣ୍ଡ୍‌ ପ୍ରଥମ ମୋବାଇଲ ଓ ଏସ୍‌ଏମ୍‌ଏସ୍‌ ପେମେଣ୍ଟ୍‌ସ ପ୍ରଚଳନ କରିଥିଲା। ସମୟକ୍ରମେ ବ୍ରାଜିଲ ନିଜସ୍ବ ବ୍ୟବସ୍ଥା ବିକଶିତ କରିଥିଲା, ଯାହାକୁ ‘ପିକ୍ସ’ କୁହାଯାଇଥାଏ। ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨୦୧୨ରେ ୟୁପିଆଇ ବ୍ୟବସ୍ଥା ବିକଶିତ କରିଥିଲେ ମଧ୍ୟ ୨୦୧୬ ଏପ୍ରିଲରେ ତତ୍‌କାଳୀନ ଆର୍‌ବିଆଇ ଗଭର୍ନର ରଘୁରାମ ରାଜନ ଏହାକୁ ପାଇଲଟ ପ୍ରୋଗ୍ରାମ୍‌ ଭାବେ ଶୁଭାରମ୍ଭ କରିଥିଲେ। ବିମୁଦ୍ରୀକରଣ ବେଳେ ନଗଦ କାରବାର କମିଯିବା ପରେ ଡିଜିଟାଲ ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇଥିଲା। ଫଳରେ ସହଜ ଅର୍ଥ ହସ୍ତାନ୍ତର ପାଇଁ ଲୋକେ ଏହାକୁ ବ୍ୟବହାର କରିବା ଆରମ୍ଭ କଲେ। କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ, ମାଗଣା ୟୁପିଆଇ କାରବାର ଯୋଗୁ ଭାରତରେ ବିଦେଶୀ କାର୍ଡ ବିଶେଷକରି ଆମେରିକାର ମାଷ୍ଟରକାର୍ଡ, ଭିଜା ନେଟ୍‌ଓ୍ବର୍କଗୁଡ଼ିକର ବଜାର ଅଂଶ ଓ ଫି’ ଆଦାୟ ହ୍ରାସ ପାଇଛି। ସେଥିପାଇଁ ଆମେରିକା ଜାଣିଶୁଣି ଭାରତର ୟୁପିଆଇ ଓ ରୁପେ ଉପରେ ଥିବା ଶୂନ୍ୟ ମୂଲ୍ୟ ଢାଞ୍ଚାକୁ ସମାଲୋଚନା କରୁଥିଲା। ଭାରତ ଘରୋଇ ବ୍ୟବସ୍ଥାକୁ ସୁବିଧା ଦେଇ ଆମେରିକା କାର୍ଡ କମ୍ପାନୀକୁ କ୍ଷତି ପହଞ୍ଚାଉଥିବାରୁ ଚାପ ପଡ଼ିବା ଆରମ୍ଭ ହୋଇଥିଲା। ଏବର ଫି’ ଏମ୍‌ଡିଆର୍‌ ବସାଇବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଆମେରିକା ପ୍ରାୟୋଜିତ ବୋଲି କଥା ଉଠିଲାଣି। ଏହିଭଳି ଚାପ ବ୍ରାଜିଲର ‘ପିକ୍ସ’ ଉପରେ ମଧ୍ୟ ପଡ଼ିଥିଲା। କିନ୍ତୁ ସେଠାକାର ସରକାର ନିଜ ସାଧାରଣ ନାଗରିକଙ୍କ ହିତକୁ ଦୃଷ୍ଟିରେ ରଖି ଏହାକୁ ଅଗ୍ରାହ୍ୟ କରିଛି। ଭାରତର ଅର୍ଥ ମନ୍ତ୍ରଣାଳୟ ବାହ୍ୟ ଚାପ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ‘ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି’ ସ୍ଥିତି ଭଳି ପ୍ରତୀୟମାନ ହେଉଛି।
ଭାରତରେ ବ୍ୟବସାୟୀଙ୍କ ଉପରେ ଏମ୍‌ଡିଆର୍‌ ଲାଗୁ ହେଲେ ତାହା ନାଗରିକଙ୍କ ଉପରେ ପଡ଼ିବା ଥୟ। ସିଧାସଳଖ ନ ହେଲେ ମଧ୍ୟ ଲୋକଙ୍କୁ ପରୋକ୍ଷରେ ଟିକସ ଦେବାକୁ ନିଶ୍ଚୟ ପଡ଼ିବ। ବ୍ୟବସାୟୀଙ୍କୁ ଅଧିକ ଅର୍ଥ ଦେବାର ଚାପ ପଡ଼ିଲେ ସେମାନେ ଉତ୍ପାଦ ଦର ବଢ଼ାଇ ଦେବେ। ଏହାର ଅର୍ଥ ଲୋକେ ଆର୍ଥିକ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ। ୟୁପିଆଇ କାରବାରରେ ଏମ୍‌ଡିଆର୍‌ର ପ୍ରଚଳନ ଭଳି ଦୁଷ୍ଟ ବୁଦ୍ଧି ପ୍ରତି ଭାରତୀୟମାନେ ସଚେତନ ହେବା ଦରକାର। ନଗଦ ଟଙ୍କାକୁ ପୃଥିବୀର ସବୁ ଉନ୍ନତ ଦେଶରେ ଯେଉଁଭଳି ବ୍ୟବହାର କରାଯାଉଛି ଭାରତରେ ସେହିଭଳି ପୂର୍ବରୁ ବ୍ୟବସ୍ଥା ଥିଲା। ତାହାକୁ ଭାଙ୍ଗିବାକୁ ଯାଇ ସରକାରଙ୍କ ଦ୍ୱାରା ବିମୁଦ୍ରୀକରଣ ଓ ସେତିକିରେ ସନ୍ତୁଷ୍ଟ ନ ହୋଇ ତା’ ପରେ ପେଟିଏମ୍‌, ଫୋନ୍‌ପେ ଭଳି ଆପ୍‌ ୟୁପିଆଇ ବ୍ୟବସ୍ଥା ଉପରେ ଡେରା ଦେଇ ଛିଡ଼ା କରାଗଲା। ଏବେ ଅଧିକାଂଶ ନାଗରିକ ଏହି ବ୍ୟବସ୍ଥା ଉପରେ ନିର୍ଭରଶୀଳ ହୋଇଯିବା ପରେ ସରକାର ତାଙ୍କ ଖେଳ ଆରମ୍ଭ କରିଛନ୍ତି ଏବଂ ତାହାର ମଙ୍ଗ ଧରିଛି ଆମେରିକା ସରକାର। ଏଥିରୁ ଗୋଟିଏ କଥା ବୁଝାପଡ଼ୁଛି ଯେ, ଭାରତ ସରକାରଙ୍କ ନିଜସ୍ବ ଆର୍ଥିକ ନୀତି ରହୁ ନ ଥିବାରୁ ବାହାର ରାଷ୍ଟ୍ର ଯିଏ ଯେତେବେଳେ ପାରୁଛନ୍ତି ଧମକାଇ ଦେଉଛନ୍ତି। ଗୋଟେ ଯୋଜନା ବା ନୀତି ଉପରେ ଆଭିମୁଖ୍ୟ ସ୍ପଷ୍ଟ ରହିଲେ ତାହାର ପ୍ରଭାବ ଦୀର୍ଘମିଆଦୀ ସକାରାତ୍ମକ ଫଳ ଦେଇଥାଏ। ହେଲେ ବାହ୍ୟ ଚାପରେ ପଡ଼ି ନିଜତ୍ୱ ବିକ୍ରି କରିଦେବା ବେଳକୁ ଦେଶବାସୀଙ୍କ ଉପରେ ସବୁ ବୋଝ ପଡ଼ିଯାଉଛି।

 

Dharitri – Odisha’s No.1 Odia Daily