୧୨ ବର୍ଷ ପରେ ଘର ବାହୁଡ଼ା

ନୟାଗଡ଼ ଅଫିସ/ନୂଆଗାଁ,୧୦।୩(ଡି.ଏନ.ଏ.): ୧୨ ବର୍ଷ ପରେ ଘରକୁ ବାହୁଡିଲେ ୧୯ ବର୍ଷର ଯୁବକ ଶାନ୍ତନୁ ଜାନି। ପଣ୍ଡିଚେରୀରେ ଜଣେ ଠିକାଦାରଙ୍କ ପାଖରେ ନିର୍ଯାତିତ ହୋଇ ଅଭିଶପ୍ତ ଜୀବନଯାପନ କରୁଥିଲେ । ବଞ୍ଚିବା ପାଇଁ ଠିକାଦାର କେବଳ ଖାଇବାକୁ ଓ ପିନ୍ଧିବାକୁ ଦେଉଥିଲେ । ତେବେ ଖୋର୍ଦ୍ଧା ଜିଲା ମଳିପଡ଼ାର ଜଣେ ଯୁବକ ଶାନ୍ତନୁଙ୍କ ପାଇଁ ଦେବଦୂତ ପାଲଟିଥିଲେ । ମଳିପଡାର ଯୁବକ ସେହି ଠିକାଦାରଙ୍କ ଶିଳ୍ପରେ କିଛି ବର୍ଷ ପରେ କାମ କରିୁଥିଲେ । ଶାନ୍ତନୁଙ୍କ ସହ କଥାବର୍ତ୍ତା ପରେ ଓଡିଆ ବୋଲି ଜାଣି ପାରିଥିଲେ । ଶାନ୍ତନୁର ଦୁଃଖ କାହାଣୀ ଶୁଣିବା ପରେ ଉଭୟ ବନ୍ଧୁ ଖସିବାର ପଥ ଖୋଜିଥିଲେ। ମଳିପଡାର ଯୁବକ ନିଜ ପାଖରେ ୬ମାସ ପଣ୍ଡିଚେରିରେ ରଖି ଶାନ୍ତନୁଙ୍କର ସମସ୍ତ ଖର୍ଚ୍ଚ ବହନ କରିଥିଲେ। ଏପରିକି ଗାଁ ଠିକଣା ନେଟରୁ କାଢ଼ି ଶାନ୍ତନୁ ଜେନାଙ୍କୁ ନୟାଗଡ ଜିଲା ନୂଆଗାଁ ବ୍ଲକ ବହାଡାଝୋଲା ପଞ୍ଚାୟତ କାଳିନ୍ଦା ଗାଁକୁ ପଠାଇଥିଲେ । ନୟାଗଡ଼ରେ ଶାନ୍ତନୁ ପହଞ୍ଚିବା ପରେ କେତେଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କ୍ରମେ ଜିଲାପାଳଙ୍କ ସହାୟତାରେ ଗାଁକୁ ଫେରିଛନ୍ତି । ଶାନ୍ତନୁଙ୍କ ସୂଚନା ଅନୁସାରେ ତାଙ୍କର ୨ ଭଉଣୀ ଅଛନ୍ତି । ୨ ଭଉଣୀଙ୍କ ବିବାହ ପରେ ବାପା ମା’ ମରି ଯାଇଥିଲେ । ୭ ବର୍ଷ ବୟସରେ ଘର ପ୍ରତି ବିତୃଷ୍ଣା ହୋଇ ଶାନ୍ତନୁ ପଣ୍ଡିଚେରୀ ଚାଲି ଯାଇଥିଲେ। ଛୋଟ ପିଲାକୁ ଦେଖି କେହି କାମ ଦେଲେ ନାହିଁ । ଏଭଳି ସମୟରେ ଜଣେ ଠିକାଦାର ଶାନ୍ତନୁର ନାବାଳକ ପରିସ୍ଥିତି ଦେଖି ଫାଇଦା ଉଠାଇଥିଲେ । ତାଙ୍କୁ ପାରିଶ୍ରମିକ ଦେବେ କହି ନିଜ ଶିଳ୍ପରେ ରଖି ଖଟାଇଥିଲେ । ଘରକୁ ଯେପରି ନ ଫେରିବ ସେଥିପାଇଁ ପାରିଶ୍ରମିକ ଦେଉ ନ ଥିଲେ । ଠିକାଦାରଙ୍କ ଶିଳ୍ପରେ ଶାନ୍ତନୁ ଦିନ ରାତି ଖଟୁଥିଲେ । ବାରମ୍ବାର ପ୍ରଚେଷ୍ଟା ସତ୍ତ୍ୱେ ଶାନ୍ତନୁ ଠିକାଦାରଙ୍କ କବଳରୁ ଖସି ପାରି ନଥିଲେ । ଗୁରୁବାର କାଳିନ୍ଦାରେ ପହଞ୍ଚିବା ପରେ ଗାଁ ଲୋକ ଓ ଅଜା ଆଈ ଚିହ୍ନି ପାରି ନ ଥିଲେ । ତେବେ ଶାନ୍ତନୁ ପିଲାଦିନର କଥା ବଖାଣିବା ପରେ ଅଜା ଆଈ ନାତିକୁ ଚିହ୍ନି ଆଦରି ନେଇ ଖୁସି ହୋଇଛନ୍ତି । ଶାନ୍ତନୁଙ୍କ ଘର ବାହୁଡା ପରେ ଗାଁ ଲୋକ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।