Categories: ଖେଳ

ସ୍ବାଗତିକା ରଥଙ୍କ ଅବସର

ଭୁବନେଶ୍ୱର,୩ା୫ (ସ୍ପୋଟର୍‌ସ ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ଭାରତର ପ୍ରତିନିଧିତ୍ୱ କରିଥିବା ଓଡ଼ିଶା ଖେଳାଳି ସ୍ବାଗତିକା ରଥ ଅବସର ଘୋଷଣା କରିଛନ୍ତି। ଓଡ଼ିଶା ଓ ରେଲଓ୍ବେଜ୍‌ ପକ୍ଷରୁ ଘରୋଇ କ୍ରିକେଟ ଖେଳିଥିବା ସ୍ବାଗତିକା ଭାରତ ପାଇଁ ଯଥାକ୍ରମେ ଦିନିକିଆ ଓ ଟି୨୦ରେ ୩ ଓ ୨ଟି ମ୍ୟାଚ୍‌ ଖେଳିଛନ୍ତି। ୨୦୦୭-୦୮ରୁ ୨୦୧୫-୧୬ ଯାଏ ସେ ଓଡ଼ିଶା ଓ ୨୦୧୬-୧୭ରୁ ୨୦୨୨-୨୩ ଯାଏ ରେଲଓ୍ବେଜ ପାଇଁ ଖେଳିଥିଲେ। ଭଦ୍ରକର ଏହି ଖେଳାଳି ଜଣଙ୍କ ବାଂଲାଦେଶ ବିପକ୍ଷରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୪ ଏପ୍ରିଲ ୨୦୧୩ରେ ଟି୨୦ ଡେବ୍ୟୁ କରିଥିବା ବେଳେ ଏହାର ୪ ଦିନ ପରେ ସମାନ ଦଳ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ। ୩ ଦିନିକିଆରୁ ସେ ୫୮ ରନ୍‌ ସ୍କୋର କରିଥିବା ବେଳେ ୩ ଉଇକେଟ ମଧ୍ୟ ନେଇଛନ୍ତି। ଭାରତୀୟ ଦଳରେ ନିୟମିତ ସୁଯୋଗ ମିଳି ନ ଥିବା ବେଳେ ସ୍ବାଗତିକା ମାତ୍ର ୨୮ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ କର୍ମକର୍ତ୍ତା ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।

Share