ପାଟଣା, ୧୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର କାର୍ଯ୍ୟକାରୀ ବୈଠକ ସୋମବାର ସାହାରପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ବିନୟ କୁମାର ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସଂଘର ଗୃହ ନିର୍ମାଣ ପାଇଁ ସାହାରପଡ଼ା ବ୍ଲକ ମୁଖ୍ୟାଳୟରେ ସରକାରୀ ଜମି ଯୋଗାଇଦେବା ନେଇ ଆଲୋଚନା ହୋଇଥିଲା। ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସୁବିଧା ପାଇଁ ଏକ ସଂଘ ଭବନ ନିର୍ମାଣ କରିବାକୁ ସଦସ୍ୟମାନେ ମତ ଦେଇଥିଲେ।
ବୈଠକରେ ସଂଘର କାର୍ଯ୍ୟକାରୀ ସଭାପତି ଶିରିଶ କୁମାର ମହାକୁଡ଼, ଉପସଭାପତି ନିତ୍ୟାନନ୍ଦ ମହାନ୍ତ, ସମ୍ପାଦକ ନଳିନୀ ଚନ୍ଦ୍ର ଘଣା, ସହକାରୀ ସମ୍ପାଦକ ହୃଷୀକେଶ ମହାନ୍ତ ଓ କୋଷାଧ୍ୟକ୍ଷ ଡମ୍ବରୁଧର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ସଂଘ ଭବନ ନିର୍ମାଣ ପାଇଁ ସରକାର କିପରି ଜମି ଯୋଗାଇଦେବେ ଏବଂ ଗୃହ ନିର୍ମାଣ କାର୍ଯ୍ୟ କିପରି ଆଗେଇବ, ସେନେଇ ଉପଦେଷ୍ଟା କଳ୍ପତରୁ ମିଶ୍ର, ନଗେଶ କୁମାର ବ୍ରହ୍ମ, ମକରଧ୍ୱଜ ମହାନ୍ତ ଓ ଦୟାନିଧି ମହାନ୍ତଙ୍କୁ ବୈଠକରେ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଏଥିସହ ସଂଘକୁ ଅଧିକ ସକ୍ରିୟ କରିବା ପାଇଁ ସମସ୍ତ ସଦସ୍ୟ ସହମତି ପ୍ରକାଶ କରିଥିଲେ।
ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପୂର୍ବତନ ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଏମ୍ପିଙ୍କ ସାହାରପଡ଼ା ବ୍ଲକ ପ୍ରତିନିଧି ସୁଦର୍ଶନ ମହାନ୍ତ ଓ ଉଦୟପୁର ମଣ୍ଡଳ ସଭାପତି ନରହରି ମହାନ୍ତ ପ୍ରମୁଖ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।