ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ ଠକେଇ ଘଟଣା ଘଟିଛି। ଏଟିଏମରୁ ଟଙ୍କା ଉଠାଇ ଦେବା ଆଳରେ ଜଣେ ଦୁର୍ବୃତ୍ତ ସମ୍ପୃକ୍ତ ବୃଦ୍ଧ ଶିକ୍ଷକଙ୍କୁ ପ୍ରତାରିତ କରି ତାଙ୍କ ଏଟିଏମ୍ କାର୍ଡ ବଦଳାଇ ଦେଇଛନ୍ତି । ଏହାପରେ ତାଙ୍କ ଆକାଉଣ୍ଟରୁ ୯ ଥରରେ ବିଭିନ୍ନ ସ୍ଥାନରୁ ମୋଟ ୧ ଲକ୍ଷ ୬ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ବାଲେଶ୍ୱର ଜିଲା ପଦ୍ମପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ହରିଶ ଚନ୍ଦ୍ର ଜେନା ଟଙ୍କା ଉଠାଇବା ପାଇଁ ନିଜ ଘର ନିକଟରେ ଥିବା ଗଡ଼ଦେଉଳିଆ ଷ୍ଟେଟ୍ ବ୍ୟାଙ୍କ ଏଟିଏମକୁ ଯାଇଥିଲେ। ତେବେ ସେହି ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଟିଏମରୁ ଟଙ୍କା ବାହାରି ନଥିଲା । ଶିକ୍ଷକ ଜଣଙ୍କ ଅସୁବିଧାରେ ପଡ଼ିଥିବା ଦେଖି ସେଠାରେ ଉପସ୍ଥିତ ଥିବା ଜଣେ ଅଜଣା ଯୁବକ ସହାୟତା କରିବାର ବାହାନା କରିଥିଲା। ସେ ଚତୁରତାର ସହ ଶିକ୍ଷକଙ୍କ ପ୍ରକୃତ କାର୍ଡଟିକୁ ନିଜ ପାଖରେ ରଖି ଏକ ନକଲି (ଫେକ୍) ଏଟିଏମ କାର୍ଡ ତାଙ୍କୁ ଫେରାଇ ଦେଇଥିଲା। ଶିକ୍ଷକ ଜଣକ ସରଳ ବିଶ୍ୱାସରେ କାର୍ଡଟିକୁ ନେଇ ଆସିଥିଲେ ଏବଂ କାର୍ଡ ବଦଳି ଯାଇଥିବା କଥା ଜାଣିପାରି ନ ଥିଲେ ।

ପ୍ରକୃତ କାର୍ଡ ହାତେଇବା ପରେ ଦୁର୍ବୃତ୍ତ ଜଣକ ବିଭିନ୍ନ ସ୍ଥାନରେ ସପିଙ୍ଗ କରିବା ସହିତ ଏଟିଏମରୁ ମୋଟ ୯ ଥରରେ ୧ ଲକ୍ଷ ୬ ହଜାର ଟଙ୍କା ଉଠାଇ ନେଇଥିଲା। ପରେ ମୋବାଇଲକୁ ଆସିଥିବା ବ୍ୟାଙ୍କ ମେସେଜ୍ (ବାର୍ତ୍ତା) ଦେଖି ଶିକ୍ଷକ ହରିଶ ଚନ୍ଦ୍ର ନିଜ ଖାତାରୁ ବାରମ୍ବାର ଟଙ୍କା କଟିଥିବା ଜାଣିବାକୁ ପାଇ ଚିନ୍ତାରେ ପଡ଼ିଯାଇଥିଲେ। ସେ ତୁରନ୍ତ ଏ ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପାଇବା ପରେ ବୈଶିଙ୍ଗା ପୋଲିସ ଥାନା କେସ୍ ନମ୍ବର ୩୪୩ରେ ଏକ ମାମଲା ରୁଜୁ କରି ଘଟଣାର ଜୋରଦାର ତଦନ୍ତ ଆରମ୍ଭ କରିଛି। ଏଟିଏମ କେନ୍ଦ୍ରରେ ଲାଗିଥିବା ସିସିଟିଭି (CCTV) ଫୁଟେଜ୍‌କୁ ପୋଲିସ ବର୍ତ୍ତମାନ ଯାଞ୍ଚ କରୁଛି ଏବଂ ଦୁର୍ବୃତ୍ତକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଏହି ଘଟଣା ପରେ ବୈଶିଙ୍ଗା ଥାନା ଅଧିକାରୀ ସାଧାରଣ ଜନତାଙ୍କୁ ସତର୍କ କରାଇ ଦେଇଛନ୍ତି। କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତାରେ ଏଟିଏମ ବ୍ୟବହାର ନ କରିବା, ନିଜର ଏଟିଏମ କାର୍ଡ ଓ ଗୋପନୀୟ ପିନ୍ (PIN) ନମ୍ବର କାହାକୁ ନ ଦେବା ଏବଂ କୌଣସି ପ୍ରକାର ସନ୍ଦେହଜନକ କାର୍ଯ୍ୟକଳାପ ନଜରକୁ ଆସିଲେ ତୁରନ୍ତ ବ୍ୟାଙ୍କ କିମ୍ବା ପୋଲିସକୁ ସୂଚନା ଦେବାକୁ ସେ ପରାମର୍ଶ ଦେଇଛନ୍ତି।

Share