ଅବସରପ୍ରାପ୍ତ ଆର୍‌ଆଇଙ୍କୁ ଅଢ଼େଇ ବର୍ଷ ଜେଲଦଣ୍ଡ

ଭୁବନେଶ୍ୱର,୫।୩(ବ୍ୟୁରୋ): ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ୨୪ ବର୍ଷ ପରେ ଶନିବାର ରାୟ ପ୍ରକାଶ ପାଇଛି। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଥିବା ପୁରୁଣା ଭୁବନେଶ୍ୱରର ପୂର୍ବତନ ତଥା ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ଦାଶରଥି ମାଝିଙ୍କୁ ୨ ବର୍ଷ ୬ ମାସ ଜେଲଦଣ୍ଡ ହୋଇଛି। ଏଥିସହ ତାଙ୍କୁ ୫୦ ହଜାର ଟଙ୍କାର ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟେ ଅଧିକ ୪ମାସ ଜେଲଦଣ୍ଡ ଭୋଗିବାକୁ ଭୁବନେଶ୍ୱର ଅତିରିକ୍ତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସସ୍ମିତା ପାଢ଼ୀ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଏହି ଦଣ୍ଡାଦେଶକୁ ଆଧାର କରି ଦାଶରଥିଙ୍କ ପେନ୍‌ଶନ ବନ୍ଦ କରିବାକୁ ଭିଜିଲାନ୍ସ ପକ୍ଷରୁ କମ୍ପିଟେଣ୍ଟ ଅଥରିଟିଙ୍କୁ ଜଣାଇବାକୁ ପ୍ରକ୍ରିୟା ଆରମ୍ଭ କରିଛି।
ମାମଲାର ବିବରଣୀ ଅନୁଯାୟୀ, ଦାଶରଥି ପୁରୁଣା ଭୁବନେଶ୍ୱରରେ ଆର୍‌ଆଇ ଥିବାବେଳେ ତାଙ୍କ ବିରୋଧରେ ଦୁର୍ନୀତି ଓ ଲାଞ୍ଚ କାରବାର ଅଭିଯୋଗ ଆସିଥିଲା। ଏନେଇ ୧୯୯୮ ମସିହା ମାର୍ଚ୍ଚ ୧୮ରେ ଭିଜିଲାନ୍ସ ଟିମ୍‌ ତାଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ଓ ଯାଞ୍ଚ ବେଳେ ତାଙ୍କ ନିକଟରୁ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା। ଏହା ତାଙ୍କ ପ୍ରକୃତ ଆୟଠୁ ୯୮% ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା। ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ.୧୬/୧୯୯୮) ରୁଜୁ କରାଯାଇ ତଦନ୍ତ କରାଯିବା ସହ ଦାଶରଥିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ତେବେ ୨୦୦୨ରେ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଏହି ମାମଲାର ଚାର୍ଜଶିଟ୍‌ ଦାଖଲ କରାଯିବା ପରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ କାମଦେବ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।