ଲକ୍ଷ୍ନୌ,୮ା୧୧: ଉତ୍ତରପ୍ରଦେଶର କାନପୁରର ପନକି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ତାଙ୍କ ଫ୍ଲାଟ୍ରେ ପ୍ରାୟ ୫ ଦିନ ଧରି ପଡ଼ି ରହିଥିଲା। ଆଶ୍ଚର୍ଯ୍ୟର କଥା, ତାଙ୍କ ପୁଅ ମଧ୍ୟ ସେହି ଘରେ ରହୁଥିଲେ, ହେଲେ ବାପାଙ୍କ ମୃତ୍ୟୁ ସମ୍ପର୍କରେ କାହାକୁ କିଛି ଜଣାଇ ନଥିଲେ । ଧନତେରସ୍ ଦିନ ଝିଅ ବାପାଙ୍କୁ ମିଠା ଦେବାକୁ ଆସିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।
ସୂଚନା ଅନୁସାରେ, ହର୍ଷନଗରରେ ରହୁଥିବା ଅର୍ଚ୍ଚନା ଶ୍ରୀବାସ୍ତବ ନିକଟରେ ଏକ ନୂଆ କାର୍ କିଣିଥିଲେ । ଧନତେରସ୍ ଦିନ ସେ ନୂଆ କାର୍ରେ ପନକି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହାପରେ ପ୍ରସାଦ ଓ ନୂଆ କାର୍ କିଣିବାର ଖୁସି ବାଣ୍ଟିବା ପାଇଁ ଅମନ ଏନକ୍ଲେଭ୍ସ୍ଥିତ ଫ୍ଲାଟ୍ରେ ରହୁଥିବା ନିଜ ବାପା ଡାକ୍ତର ପ୍ରେମ ପ୍ରକାଶ ଶ୍ରୀବାସ୍ତବ (୮୨)ଙ୍କ ପାଖକୁ ଯାଇଥିଲେ। କିନ୍ତୁ ଫ୍ଲାଟ୍ର କବାଟ ଖୋଲିବା ମାତ୍ରେ ଭିତରୁ ପ୍ରବଳ ଦୁର୍ଗନ୍ଧ ଆସିଥିଲା। ଘର ଭିତରକୁ ଯାଇ ଦେଖିବା ବେଳକୁ ତାଙ୍କ ବାପାଙ୍କ ମୃତଦେହ ପଚିସଢ଼ି ଯାଇଥିବା ଅବସ୍ଥାରେ ପଡ଼ିଥିଲା। ଏହି ଦୃଶ୍ୟ ଦେଖି ଅର୍ଚ୍ଚନାଙ୍କ ହୋସ୍ ଉଡ଼ିଯାଇଥିଲା।
ପୋଲିସ ଓ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ସୂଚନା ଅନୁସାରେ, ଡାକ୍ତର ପ୍ରେମ ପ୍ରକାଶଙ୍କ ସହ ତାଙ୍କ ପୁଅ ବିଜୟ ଶ୍ରୀବାସ୍ତବ ମଧ୍ୟ ସେହି ଫ୍ଲାଟ୍ରେ ରହୁଥିଲେ । ପ୍ରାୟ ୫ ଦିନ ପୂର୍ବରୁ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ହେଲେ ଏତେ ଦିନ ଧରି ପୁଅ ମୃତଦେହ ସହ ଘରେ ରହିଥିଲେ ମଧ୍ୟ କୌଣସି ସମ୍ପର୍କୀୟ କିମ୍ବା ପଡ଼ୋଶୀଙ୍କୁ ଏନେଇ ଜଣାଇ ନଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଅର୍ଚ୍ଚନା ଆପାର୍ଟମେଣ୍ଟର ଲୋକଙ୍କୁ ଓ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପନକି ଥାନା ପୋଲିସ ଓ ଫରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଫରେନ୍ସିକ୍ ଟିମ୍ ଫ୍ଲାଟ୍ରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରିଥିବା ବେଳେ ମୃତଦେହର ପଞ୍ଚନାମା ପରେ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି।
ପନକି ଥାନା ଅଧିକାରୀଙ୍କ କହିବା ଅନୁସାରେ, ମୃତକଙ୍କ ପୁଅ ବିଜୟ ଶ୍ରୀବାସ୍ତବଙ୍କ ମାନସିକ ସ୍ଥିତି ଠିକ୍ ନଥିଲା । ପୋଲିସ ତାଙ୍କୁ ପଚରାଉଚରା କରିବା ସମୟରେ ସେ ହୋହଲ୍ଲା କରିବା ସହ ଯୁକ୍ତିତର୍କ କରିଥିଲେ। ପୋଲିସ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା।ପରେ ସେ ଆପାର୍ଟମେଣ୍ଟରୁ ବାହାରି ଏକ ଗଛ ତଳେ ବସି ପୋଲିସ ସହ ପୁଣି ଯୁକ୍ତିତର୍କ କରିଥିଲେ । ଶେଷରେ ଭଉଣୀ ଅର୍ଚ୍ଚନା ବୁଝାଇବା ପରେ ସେ ଶାନ୍ତ ହୋଇଥିଲେ । ଏହାପରେ ପୋଲିସ ମୃତଦେହର ପଞ୍ଚନାମା ପ୍ରକ୍ରିୟା ଶେଷ କରି ପୋଷ୍ଟମର୍ଟମ୍ ପାଇଁ ପଠାଇଥିଲା। ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।