୮ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି, ଅସହ୍ୟ ହୋଇପାରେ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୫।୯: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରେ ଦେଶରେ ସାଧାରଣ ଜନତାଙ୍କ ଉପରେ ପଡ଼ିଥିବା ମହଙ୍ଗା ମାଡ଼ ଆଗକୁ ଆହୁରି ଉତ୍କଟ ହେବା ଆଶଙ୍କା ବଢ଼ାଇଛି । ଖାଦ୍ୟ ସାମଗ୍ରୀ ଏବଂ ଇନ୍ଧନର କ୍ରମାଗତ ଦରବୃଦ୍ଧି ଯୋଗୁ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୪.୮୨%ରେ ପହଞ୍ଚିଛି; ଯାହାକି ଗତ ୮ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତର ଛୁଇଁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସରକାରୀ ତଥ୍ୟ ଅନୁଯାୟୀ, ଗତ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୪.୪୫ ପ୍ରତିଶତ ଥିଲା। କିନ୍ତୁ ବୈଶ୍ୱିକ କାରଣକୁ ନେଇ ଏହା ଅଗଷ୍ଟରେ ପୁଣି ବୃଦ୍ଧି ପାଇଛି। କେବଳ ଖାଉଟି ସ୍ତରରେ ନୁହେଁ, ବ୍ୟବସାୟିକ ସ୍ତରରେ ମଧ୍ୟ ଦରଦାମ ବୃଦ୍ଧି ଝଟକା ଦେଇଛି। କାରଣ ଦେଶର ହୋଲ୍‌ସେଲ ବା ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ଅଗଷ୍ଟରେ ବୃଦ୍ଧି ପାଇ ୯.୯୨ ପ୍ରତିଶତରେ ପହଞ୍ଚିଛି। ଏହା ଜୁଲାଇରେ ୯.୭୮ ପ୍ରତିଶତ ରହିଥିଲା।

ଖାଦ୍ୟ ପଦାର୍ଥ, ଖଣିଜ ତେଲ, ଅଶୋଧିତ ପେଟ୍ରୋଲିୟମ ଏବଂ ନିର୍ମାଣ ସାମଗ୍ରୀ ମୂଲ୍ୟ ବଢ଼ିବା ଯୋଗୁ ପାଇକାରୀ ମୁଦ୍ରାସ୍ଫୀତିରେ ଏଭଳି ଉଦ୍‌ବେଗଜନକ ବୃଦ୍ଧି ରେକର୍ଡ କରାଯାଇଛି। ସରକାରୀ ରିପୋର୍ଟ ଅନୁସାରେ, ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ୫.୫୨ ପ୍ରତିଶତ ରହିଥିଲାବେଳେ ଅଗଷ୍ଟରେ ଏହା ୫.୯୫ ପ୍ରତିଶତକୁ ବୃଦ୍ଧି ପାଇଛି। ଚଳିତ ବର୍ଷ ପ୍ରଭାବିତ ମୌସୁମୀ ଏବଂ ପାଣିପାଗର ଅନିଶ୍ଚିତତାକୁ ନେଇ ଚିନି, ପିଆଜ, ଅଦା ଏବଂ ରସୁଣ ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି। ଅଗଷ୍ଟରେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ସହିତ ଅଣ୍ଡା, ମାଂସ, ଫଳ ଓ ବାଦାମ/କାଜୁ ଆଦି ଉତ୍ପାଦଗୁଡ଼ିକରେ ଦୁଇ ଅଙ୍କ ବିଶିଷ୍ଟ ମୁଦ୍ରାସ୍ଫୀତି ରେକର୍ଡ କରାଯାଇଛି।

ସେହିପରି ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ୫.୨୩ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ଏହା ୪.୩୧ ପ୍ରତିଶତ ରହିଛି। ଲଗାତର ୩ୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସନ୍ତୋଷଜନକ ଲକ୍ଷ୍ୟ ୪ ପ୍ରତିଶତଠାରୁ ଉପରେ ରହିଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଆର୍‌ବିଆଇ ସୁଧ ହାର ବୃଦ୍ଧି କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହାଦ୍ୱାରା ସାଧାରଣ ଲୋକଙ୍କ ଘରୋଇ ସ୍ତରର ଖର୍ଚ୍ଚ ଆହୁରି ବଢ଼ିବା ସହ ଘର ଓ ଗାଡ଼ି ଋଣର ଇଏମ୍‌ଆଇ ବୋଝ ମଧ୍ୟ ଆହୁରି ମହଙ୍ଗା ହୋଇପାରେ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିବା ଆରମ୍ଭ କରିଛନ୍ତି।

 

Dharitri – Odisha’s No.1 Odia Daily

Share