Categories: ବାଣିଜ୍ୟ

ଫେବୃୟାରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୪୪%

ନୂଆଦିଲ୍ଲୀ,୧୪।୩: ଚଳିତ ବର୍ଷ ଫେବୃୟାରୀ ମାସର ଖୁଚୁରା ମୁଦ୍ରାସ୍ଫୀତି ଫଳାଫଳ ସୋମବାର ପ୍ରକାଶିତ ହୋଇଯାଇଛି। ବିଭାଗୀୟ ସୂଚନା ଅନୁସାରେ ଫେବୃୟାରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ସାମାନ୍ୟ ହ୍ରାସ ଘଟି ୬.୪୪ %ରେ ରହିଛି। ୨୦୨୩ ଫେବୃୟାରୀରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୪୪% ରହିଛି। ଚଳିତ ବର୍ଷ ଜାନୁୟାରୀରେ ଏହାର ହାର ୬.୫୨% ରହିଥିଲା। ଅପରପକ୍ଷରେ ୨୦୨୨ ବର୍ଷର ସମାନ ଅବଧି ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୦୭% ରହିଥିଲା। ବିଶେଷ କରି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଧାର୍ଯ୍ୟଲକ୍ଷ୍ୟଠାରୁ ଏହା ବେଶ ଅଧିକ ବୋଲି କୁହାଯାଉଛି। କାରଣ ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଓ ମାନ୍ଦାବସ୍ଥା ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାରରେ ପରିବର୍ତ୍ତନ ଦେଖାଦେଇଛି। ଉଲ୍ଲେଖଯୋଗ୍ୟ, ଫେବୃୟାରୀରେ ଖାଦ୍ୟ ଦରବୃଦ୍ଧି ହାର ୫.୯୫% ରହିଛି, ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପଛର ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ହାର କାରଣ ବୋଲି କୁହାଯାଉଛି। ଏପରିକି ଚଳିତ ବର୍ଷ ଜାନୁୟାରୀରେ ଖାଦ୍ୟ ଦରବୃଦ୍ଧି ହାର ୬% ରହିଥିଲା। ସେହିଭଳି ୨୦୨୩ ଫେବୃୟାରୀର ଖାଦ୍ୟଶସ୍ୟ ଏବଂ ଏହା ସହ ଜଡିତ ଉତ୍ପାଦର ଦରବୃଦ୍ଧି ହାର ୧୬.୭୩% ରହିଥିବା ବେଳେ ଦୁଗ୍ଧ ଏବଂ ଏହା ସହ ଜଡିତ ଉତ୍ପାଦଗୁଡିକ ଦରବୃଦ୍ଧି ହାର ୯.୬୫% ଏବଂ ମସଲା ଉତ୍ପାଦଗୁଡିକର ଦରବୃଦ୍ଧି ହାର ୨୦.୨୦%ରେ ରହିଛି। ସେହିପରି ଖୁଚୁରା ମୁଦ୍ରାସ୍ଫୀତି ହାରରୁ ଅନୁମାନ କରାଯାଉଛି ଯେ ଚଳିତ ବର୍ଷ ଏପ୍ରିଲ ମାସରେ ଆରବିଆଇ ମୁଦ୍ରୀନୀତି ସମୀକ୍ଷା (ଏମପିସି) ବୈଠକରେ ପୁଣି ଥରେ ୨୫ ବିପିଏସ ରେପୋ ରେଟ୍‌ ବଢାଇପାରେ। ଗତ ବର୍ଷ ମେ ମାସରୁ ଆଜି ମଧ୍ୟରେ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ ୨୫୦ବେସିସ୍‌ ପଏଣ୍ଟ ବଢାଇ ସାରିଛି। ବର୍ତ୍ତମାନ ସମୟରେ ରେପୋ ରେଟ୍‌ ୬.୭୫% ରହିଛି, ଯଦି ଆରବିଆଇ ରେପୋ ରେଟ୍‌ ବଢାଏ ତେବେ ହୋମ୍‌ ଲୋନ୍‌ ସହ ଅନ୍ୟ ଋଣ ଉପରେ ସୁଧ ହାର ବଢିବ ବୋଲି ଆଶା କରାଯାଉଛି।

Share