Categories: ବାଣିଜ୍ୟ

ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତିର ଅଭିବୃଦ୍ଧି

ନୂଆଦିଲ୍ଲୀ,୨୦।୮: ଚଳିତ ବର୍ଷ ଜୁଲାଇରେ ମୁଖ୍ୟତଃ କେତେକ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ କୃଷି ଏବଂ ଗ୍ରାମାଞ୍ଚଳର ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଯଥାକ୍ରମେ ୬.୬୦% ଏବଂ ୬.୮୨%କୁ ବୃଦ୍ଧି ଘଟିଛି। ଏପରିକି ୨୦୨୨ ଜୁନ୍‌ରେ କୃଷି ଏବଂ ଗ୍ରାମୀଣ ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ଯଥାକ୍ରମେ ୬.୪୩ ଏବଂ ୬.୭୬% ରହିଥିଲା। ସିପିଆଇ-ଏଲ୍‌ (ଗ୍ରାହକ ମୂଲ୍ୟ ସୂଚକାଙ୍କ-କୃଷି ଶ୍ରମିକ) ଏବଂ ସିପିଆଇ-ଆର୍‌ଏଲ୍‌ (ଗ୍ରାହକ ମୂଲ୍ୟ ସୂଚକାଙ୍କ-ଗ୍ରାମୀଣ ଶ୍ରମିକ)ଙ୍କ ଉପରେ ଆଧାରକରି ମୁଦ୍ରାସ୍ଫୀତିର ପଏଣ୍ଟ-ପଏଣ୍ଟ ହାର ବାହାର କରାଯାଇଛି। ୨୦୨୨ ଜୁନ୍‌ରେ ଯଥାକ୍ରମେ ୬.୪୩% ଏବଂ ୬.୭୬% ରହିଥିଲା ହେଲେ ଚଳିତ ବର୍ଷ ଜୁଲାଇରେ ଏହାର ହାର ୬.୬୦% ଏବଂ ୬.୮୨% ରହିଥିଲା ବୋଲି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ପୂର୍ବ ବର୍ଷର ସମ୍ପୃକ୍ତ ମାସ (ଜୁଲାଇ ୨୦୨୧) ରେ ଏହାର ହାର ଯଥାକ୍ରମେ ୩.୯୨% ଏବଂ ୪.୦୯% ରହିଥିଲା
ଅପରପକ୍ଷରେ ୨୦୨୨ ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ୫.୩୮% ଏବଂ ୫.୪୪% ଥିବାବେଳେ ଚଳିତ ବର୍ଷ ଜୁନ୍‌ରେ ଯଥାକ୍ରମେ ୫.୦୯% ଏବଂ ୫.୧୬% ରହିଥିଲା। ସେହିପରି ପୂର୍ବ ବର୍ଷର ସମାନ ମାସରେ ଏହାର ହାର ୨.୬୬% ଏବଂ ୨.୭୪% ରହିଥିଲା ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କୃଷି ଶ୍ରମିକ ଏବଂ ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ୨୦୨୨ ଜୁଲାଇରେ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ସଂଖ୍ୟା ୬ ପଏଣ୍ଟ ବୃଦ୍ଧି ପାଇ ଯଥାକ୍ରମେ ୧୧୩୧ ଏବଂ ୧୧୪୩ ପଏଣ୍ଟରେ ରହିଛି। ୨୦୨୨ ଜୁନ୍‌ରେ ସିପିଆଇ- ଏଏଲ୍‌ ୧୧୨୫ ପଏଣ୍ଟ ଥିଲାବେଳେ ସିପିଆଇ-ଆର୍‌ଏଲ୍‌ ୧୧୩୭ ପଏଣ୍ଟ ରହିଥିଲା। କୃଷି ଶ୍ରମିକ ଏବଂ ଗ୍ରାମୀଣ ଶ୍ରମିକମାନଙ୍କର ସାଧାରଣ ସୂଚକାଙ୍କ ବୃଦ୍ଧିରେ ପ୍ରମୁଖ ଅବଦାନ ଖାଦ୍ୟ ଗୋଷ୍ଠୀରୁ ଯଥାକ୍ରମେ ୪.୪୧ ଏବଂ ୪.୦୭ ପଏଣ୍ଟରେ ପହଞ୍ଚତ୍ଛି।

Share