ଛତ୍ରପୁର, ୪।୭ (ଦିଲ୍ଲୀପି ସାମଲ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆଗାମୀ ଜୁଲାଇ ୫ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗିରହିବ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ସ୍ଵତନ୍ତ୍ର ରିଲିଫ କମିଶନର (ଏସ୍ ଆର ସି) ରାଜେଶ ପ୍ରଭାକର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା କରାଯାଇଛି।
ଅନ୍ୟପକ୍ଷରେ ଛତ୍ରପୁର ଉପକଣ୍ଠରେ ଥିବା ବଡ଼ ଆର୍ଯ୍ୟପଲ୍ଲୀ ଏବଂ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ମତ୍ସ୍ୟଜୀବୀ ଏହି ନିର୍ଦ୍ଦେଶ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ସାନ ଆର୍ଯ୍ୟପଲ୍ଲୀ କୋତୁରୁ ସାହିର ଜଣେ ବରିଷ୍ଠ ମତ୍ସ୍ୟଜୀବୀ ବି. ଦାନେୟା ଏହି ନିର୍ଦ୍ଦେଶକୁ ଖଣ୍ଡନ କରି କହିଛନ୍ତି ଯେ ବର୍ତ୍ତମାନ ସମୁଦ୍ର ଭିତର ପାଗ ଖରାପ ନାହିଁ। ଆମେ ମାଛ ଧରିବାକୁ ଯାଇ ପାରିବୁ। କିନ୍ତୁ ଏହି କଟକଣା କାରଣରୁ ଆମେ ଗତ ଦୁଇଦିନ ଧରି ସମୁଦ୍ର ଭିତରକୁ ପ୍ରବେଶ କରି ପାରୁନୁ ଓ ଆମେ ଜୀବିକା ହରାଇ ବସିଛୁ ବୋଲି ସେହି ଗ୍ରାମର ୟୁ. ସନ୍ୟାସୀ କହିଛନ୍ତି। ଆଉ ଜଣେ ମତ୍ସ୍ୟଜୀବୀ ବି. ସୋମାୟା କହିଛନ୍ତି ଯେ ଏହା ଯୋଗୁ ଆମ ପରିବାର ଭୋକ ଉପାସରେ ହନ୍ତ ସନ୍ତ ହେଉଛି ଏବଂ ଏହାର କ୍ଷତି ପୂରଣ କିଏ ଦେବ।
ଏହି ବିଷୟରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦେବୀଦତ୍ତ ମହାନ୍ତି କହିଛନ୍ତି ଯେ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କୌଣସି ସମ୍ବେଦନଶୀଳ ଚେତାବନୀ ଜାରି ହୋଇନଥିଲେ ମଧ୍ୟ ଅଘଟଣ ଏଡ଼ାଇବା ପାଇଁ ଏହି କଟକଣା ଜାରି କରିବା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଅତିରିକ୍ତ ମତ୍ସ୍ୟ ଅଧିକାରୀ ମହାନ୍ତି କହିଛନ୍ତି। ସମୁଦ୍ର ଭିତରକୁ ପ୍ରବେଶ ନିଷେଧ କଟକଣା ଆସନ୍ତା ଜୁଲାଇ ୫ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।