Categories: ଫୁରସତ

ମହାକାଶରେ ରେଷ୍ଟୁରାଣ୍ଟ

 

ସବୁବେଳେ ଘରେ ଖାଇ ଖାଇ ଯେବେ ବୋର୍‌ ଲାଗେ ଆମେ କୌଣସି ଭଲ ରେଷ୍ଟୁରାଣ୍ଟକୁ ଯାଉ ଅବା ବଣଭୋଜି କରିବାକୁ ଯାଉ। ଅର୍ଥାତ୍‌ ମଣିଷ ଚାହେଁ କିଛି ଭିନ୍ନତା। ଏହାକୁ ନଜରରେ ରଖି ଫ୍ରାନ୍ସର ଜେଫାଲ୍ଟୋ ନାମକ ଏକ ଷ୍ଟାର୍ଟଅପ୍‌ କମ୍ପାନୀ ଅନ୍ତରୀକ୍ଷ ବା ମହାକାଶରେ ରେଷ୍ଟୁରାଣ୍ଟ ଖୋଲିବାକୁ ଯାଉଛି। ୨୦୨୫ରୁ ରୋମାଞ୍ଚ ସହ ସ୍ବାଦିଷ୍ଟ ଖାଦ୍ୟ ଖାଇବାର ଇଛା ରଖୁଥିବା ଗ୍ରାହକ ଏହି ରେଷ୍ଟୁରାଣ୍ଟରେ ଖାଇବାର ସୁଯୋଗ ପାଇପାରିବେ। ଏୟାରୋସ୍ପେସ୍‌ ଇଞ୍ଜିନିୟର ଭିନସେଣ୍ଟ ଫୈରେଟ୍‌ ଡି ଏସ୍ଟିସ୍‌ଙ୍କ ଦ୍ୱାରା ସ୍ଥାପିତ ଜେଫାଲ୍ଟୋ କମ୍ପାନୀ ଗ୍ରାହକଙ୍କୁ ଏକ ବଡ଼ ବେଲୁନ୍‌ ସାହାଯ୍ୟରେ ମହାକାଶକୁ ନେବାର ଯୋଜନା କରୁଛି। ଏହା ସଫଳ ହେଲେ ଲୋକେ ଭୂମିଠାରୁ ୨୫ କି.ମି. ଉଚ୍ଚତାରେ ହିଲିୟମ କିମ୍ବା ହାଇଡ୍ରୋଜେନ ଗ୍ୟାସ୍‌ ଭର୍ତ୍ତି ଜେଫାଲେଟା ବେଲୁନ୍‌ ସହ ଯୋଡି ହୋଇ ରହିଥିବା ଏକ କ୍ୟାପ୍ସୁଲରେ ବସି ଖାଦ୍ୟ ଖାଇବାର ନିଆରା ଅନୁଭୂତି ପାଇବେ। ଭିନ୍‌୍‌ସେଣ୍ଟ କୁହନ୍ତି, ଆମେ ଫ୍ରାନ୍ସର ଅନ୍ତରୀକ୍ଷ ଏଜେନ୍ସି ସହ ମିଶି ଲୋକଙ୍କୁ ଏହି ଭିନ୍ନ ଅନୁଭୂତି ପ୍ରଦାନ କରିବାକୁ ଚେଷ୍ଟା କରୁଛୁ। ଏଥିପାଇଁ କମ୍ପାନୀ ସେଲେସ୍ଟେ ନାମକ ଏକପ୍ରକାରର ବିଶେଷ ବେଲୁନ ତିଆରି କରୁଛି। ଉକ୍ତ ବେଲୁନର ଗତି ସେକେଣ୍ଡ ପ୍ରତି ୪ ମିଟର ରହିବ। ଦେଢ ଘଣ୍ଟାରେ ଏହା ନିର୍ଦ୍ଧାରିତ ଦୂରତାରେ ପହଞ୍ଚିଯିବ। ଏଥିରେ ସଂଯୋଗ ହୋଇଥିବା କ୍ୟାପ୍ସୁଲରେ ୬ ଜଣ ଗ୍ରାହକଙ୍କ ସହ ୨ଜଣ ପାଇଲଟ୍‌ ଯାଇପାରିବେ। ଏହି ବେଲୁନ ୯୦ ମିନିଟ୍‌ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ସ୍ଥିର ରହିପାରିବ। ମହାକାଶରେ ଗ୍ରାହକଙ୍କୁ ଫ୍ରେଞ୍ଚ ଫୁଡ୍‌ ସହ ଫ୍ରେଞ୍ଚ ଓ୍ବାଇନ୍‌ ଦିଆଯିବ। ଏଥିରେ ୭୫ ବର୍ଗଫୁଟ୍‌ର ଏକ ଝରକା ବି ରହିବ, ଯାହା ମାଧ୍ୟମରେ ଗ୍ରାହକ ମହାକାଶ ସୁନ୍ଦର ଦୃଶ୍ୟକୁ ଦେଖିପାରିବେ। ଏହାର ବୁକିଂର ପ୍ରାରମ୍ଭିକ ଅର୍ଥ ୯ ଲକ୍ଷ ରଖାଯାଇଛି। ରାଉଣ୍ଡ ଟ୍ରିପ୍‌ କଲେ ଗ୍ରାହକଙ୍କୁ ପ୍ରାୟ ୧ କୋଟି ଖର୍ଚ୍ଚ କରିବାକୁ ହେବ।

Share