ପ୍ରତିପକ୍ଷଙ୍କୁ ଜବାବ ତଲବ

କଟକ ଅଫିସ,୧୧।୧୨: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ସମ୍ପର୍କିତ ମାମଲାର ଶୁଣାଣି ଶୁକ୍ରବାର ହାଇକୋର୍ଟରେ ହୋଇଥିଲା। ଆସନ୍ତା ୧୩ ସୁଦ୍ଧା ଜବାବ ତଲବ ପାଇଁ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୩ ତାରିଖରେ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବ ନାରାୟଣ ବିଶ୍ୱାଳ ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସ୍‌ଲାମଙ୍କ ପକ୍ଷରୁ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ହାଇକୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା। ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯ର ସମସ୍ତ ନିୟମ ଉଲ୍ଲଂଘନ କରାଯାଇ ଯୋଗ୍ୟତା ନ ଥିବା ଓ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କୁ ଚୟନ ବିଭାଗରେ କିପରି ନିଆଯାଇଛି ବୋଲି ପ୍ରଶ୍ନ ଉଠାଇଥିଲେ। ୨୮ଟି କାଟେଗୋରିରେ ପୁରସ୍କାର ପ୍ରଦାନ କରାଯିବ। ସେଥିରେ ଓଡ଼ିଆ ଓ ଆଦିବାସୀ ଚଳଚ୍ଚିତ୍ର ବିଭାଗରେ ଗୋଟିଏ କାଟେଗୋରି ରହିଛି। ବିଦେଶୀ ଚଳଚ୍ଚିତ୍ରକୁ ଅନୁକରଣ କରି ନିମର୍ର୍ାଣ କରାଯାଇଥିବା ଚଳଚ୍ଚିତ୍ରକୁ ପୁରସ୍କାର ଦିଆଯିବାକୁ ଥିବାବେଳେ ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ର ‘ଛବିରାଣୀ’କୁ ଏଥିରୁ ବାଦ୍‌ ଦିଆଯାଇଛି। ଏହାଦ୍ୱାରା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିୟମ ୨୦୧୦ର ଧାରା ୩ ବି ଉଲ୍ଲଂଘନ କରାଯାଇଛି। ସେହିପରି ବିଜ୍ଞାପନରେ ଦିଆଯାଇଥିବା ୨ ନମ୍ବର ନିୟମାବଳୀକୁ ଉଲ୍ଲଂଘନ କରାଯାଇଛି। ଏନେଇ ଆବେଦନକାରୀ ବବି ଇସଲାମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିରେ ରାଜ୍ୟ ସରକାର, ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଓ ପୁରସ୍କାର ଚୟନ କମିଟି ସଦସ୍ୟଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆସନ୍ତା ୧୪ ଓ ୧୫ ତାରିଖରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ।