‘ଗବେଷଣାକୁ ସମ୍ମାନ ଆହୁରି ଉତ୍ସାହିତ କରିବ’

ଲାଞ୍ଜିଗଡ଼,୨୭।୧(ଡି.ଏନ.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଆଚାର୍ଯ୍ୟ ଏମ୍‌.ଏସ୍‌. ଶେଖରଙ୍କୁ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ରରେ ପାରଦର୍ଶିତା ପାଇଁ ସ୍ବର୍ଣ୍ଣ ପଦକ ସହ ‘ଜ୍ୟୋତିଷ ମହର୍ଷି’ ପରାଶର ସମ୍ମାନ ପ୍ରଦାନ କରାଯାଇଛି। ଭାରତୀୟ ବାସ୍ତୁ ଓ ଜ୍ୟୋତିଷ ଗବେଷଣା କେନ୍ଦ୍ର ପକ୍ଷରୁ ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଆୟୋଜିତ ଦଶମ ଅନ୍ତର୍ଜାତୀୟ ଭାରତୀୟ ସଂସ୍କୃତି ଓ ଜ୍ୟୋତିଷ ସମ୍ମିଳନୀ ଅବସରରେ ତାଙ୍କୁ ସମ୍ମାନିତ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀର ଖ୍ୟାତନାମା ଜ୍ୟୋତିର୍ବିଦ୍‌ ଜି.ଡି. ବଶିଷ୍ଟ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଏମ୍‌ପି ଡ. ପ୍ରସନ୍ନ ପାଟ୍ଟଶାଣୀ, ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ହରିହର ହୋତା, ଜ୍ୟୋତିର୍ବିଦ୍‌ ନିରଞ୍ଜନ ମହାପାତ୍ର ଓ ବାସ୍ତୁବିଦ୍‌ ଡ. ମନୋଜ ଲେଙ୍କା ଯୋଗଦେଇ ଶେଖରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଜ୍ୟୋତିଷ ଓ ବାସ୍ତୁ କ୍ଷେତ୍ରରେ ଗବେଷଣା କରିବାକୁ ଏହା ତାଙ୍କୁ ଆହୁରି ଉତ୍ସାହିତ କରିବ ବୋଲି ଶେଖର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।