ଶେଷ ବୟସର ସମ୍ବଳ

ମଣିଷ ଜୀବନର କଅଁଳ ଶୈଶବ, କୈଶୋର କେମିତି ଯେ ସଅଳ ଚାଲିଯାଏ ଜଣାପଡ଼େନି। ଏଠି ନା ଥାଏ ଚିନ୍ତାଅର୍ଥ, ନା ଥାଏ ଦାୟିତ୍ୱବୋଧ। ଥାଏ କେବଳ ପ୍ରଚୁର ଖୁସି ଓ ଆନନ୍ଦ। କପଟଶୂନ୍ୟ ଜୀବନ ଭିତରେ ଆଗକୁ ମାଡ଼ିଚାଲେ ସମୟ। ୟା ପରେ ଆସେ ଯୌବନାବସ୍ଥା। ବିବାହ ପରେ ଆସିଯାଏ ଦାୟିତ୍ୱବୋଧ। ଘରର ଯାବତୀୟ ଦାୟିତ୍ୱ ମୁଣ୍ଡାଇବାକୁ ବାଧ୍ୟହୁଏ ମଣିଷ। ସାଂସାରିକ ବିଳାସବ୍ୟସନ ମଧ୍ୟରେ କେମିତି ଯେ କଟିଯାଏ ଏ ସମୟ ଜାଣିହୁଏନା। ବୟସକୁ ଅଟକାଇବାକୁ ଅନବରତ ପ୍ରୟାସ ଜାରି ରଖିଥାଏ ମଣିଷ। ମାତ୍ର ଏଥିରେ ସେ ସଫଳ ହୋଇପାରି ନ ଥାଏ। ବୟସକୁ ଲୁଚେଇବାକୁ ଚେଷ୍ଟାକରି ବିଫଳ ହୁଏ ମଣିଷ।
ବୟସର ଚାପରେ ପରିପକ୍ୱ ହୁଏ କେଶରାଶି। ପଡ଼ିଯାଏ ଦାନ୍ତ। ଲୋଚାକୋଚା ହୋଇପଡ଼େ ତ୍ୱଚା। ହ୍ରାସ ପାଏ ସ୍ମରଣ ଶକ୍ତି। ନଇଁଯାଏ ଅଣ୍ଟା। ଚାଲିବାକୁ ଆଶ୍ରା କେବଳ ଖଣ୍ଡିଏ ବଙ୍କୁଳିବାଡ଼ି। ପ୍ରତିଟି କାର୍ଯ୍ୟ ପାଇଁ ମଣିଷକୁ ଏଥର ଅନ୍ୟର ସାହାଯ୍ୟ ନେବାକୁ ପଡ଼ିଥାଏ। କିଛି କଥା ଦେଖି ସୁଦ୍ଧା ତାକୁ ବିରୋଧ କରିବାର ପ୍ରୟାସ ବ୍ୟର୍ଥ ଯାଏ। କାହିଁକି ନା ତାଙ୍କ କଥା ଶୁଣିବାକୁ କାହାପାଖରେ ଯେମିତି ସମୟର ଥାଏ ଘୋର ଅଭାବ। ପରିବାର ପାଇଁ ସେ ସତେଯେମିତି ହୋଇଯାଇଥାନ୍ତି ଅଲୋଡ଼ା ମଣିଷଟିଏ। ବୋଧହୁଏ ଏହା ହିଁ ଶେଷ ବୟସର ସନ୍ତାପ। ଯେଉଁଠି ଦୁନିଆ ଆଖିରେ ସେ ପାଲଟିଯାଇଥାନ୍ତି – ବୁଢ଼ା ଲୋକ।
ଜୀବନକୁ ତିଳତିଳକରି ଦଗ୍ଧୀଭୂତକରି ନିଜ ପରିବାର ପାଇଁ ଅସୁମାରୀ ସ୍ବପ୍ନ ଦେଖିଥିବା ଏବଂ ତାକୁ ସଫଳ କରିଥିବା ମଣିଷଟି ଭୋଗେ ଶେଷ ବୟସକୁ। ବାର୍ଦ୍ଧକ୍ୟର ଯନ୍ତ୍ରଣା ମଣିଷକୁ ଯେତେ ନ ବାଧେ , ତା’ଠୁ ଅଧିକ ବାଧେ ମାନସିକ ଯନ୍ତ୍ରଣା। ତାହାପୁଣି ନିଜ ହାତରେ ଗଢିଥିବା ଆତ୍ମୀୟସ୍ବଜନଙ୍କ ଦ୍ୱାରା। ବୟସର ଅପରାହ୍ନରେ ପହଞ୍ଚିଥିବା ଏ ମଣିଷପ୍ରତି ସମସ୍ତେ ଭୁଲିଯାଆନ୍ତି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟବୋଧ। ଯେଉଁ ମାଆବାପା ପାଞ୍ଚ ପାଞ୍ଚଟି ପିଲାଙ୍କୁ ମଣିଷ କରି ଗଢିତୋଳିବା ପାଇଁ ନିଜକୁ ଜଳାଞ୍ଜଳି ଦେଇଥିଲେ, ଏବେ ସେମାନେ ବାପାମାଆଙ୍କୁ ବୁଢ଼ା ବୟସରେ ପାଖରେ ରଖିବାକୁ ନିଜ ଭିତରେ ଭାଗ ବସାନ୍ତି। ସେମାନଙ୍କ ସମ୍ପର୍କକୁ ଅଲଗା କରିଦେବାକୁ ତିଳେ ହେଁ କୁଣ୍ଠାପ୍ରକାଶ କରନ୍ତି ନାହିଁ।
ଶେଷ ବୟସର ଜୀବନ ଯେ କେଡ଼େ ଯନ୍ତ୍ରଣାଦାୟକ, ସେକଥା କେବଳ ଅନୁଭବୀଟିଏ ହିଁ ଉପଲବ୍ଧି କରିପାରିଥାଏ। ନିଃସଙ୍ଗ ଜୀବନ ଭିତରେ ସେ କେବଳ ଚାହିଁ ରହିଥାଏ ଶୂନ୍ୟ ଆକାଶକୁ। ସ୍ତ୍ରୀକୁ ହରାଇଥିବା ସ୍ବାମୀ ଓ ସ୍ବାମୀକୁ ହରାଇଥିବା ସ୍ତ୍ରୀର ଜୀବନ ହୋଇପଡ଼େ ଦୁର୍ବିଷହ। ଏ ସମୟର ସମ୍ବଳ ଥାଏ କେବଳ ଆଶ୍ୱାସନା ଟିକିଏ। ତାକୁ ହିଁ ପାଥେୟକରି ଜିଇବାକୁ ହୋଇଥାଏ ଅବଶିଷ୍ଟ ଜୀବନ। ହାତଧରି ବାଟ ଚାଲିବାକୁ ଶିଖାଇଥିବା ଏ ବୟସ୍କଙ୍କ ପ୍ରତି ହୁଏ ଅତ୍ୟାଚାର। ଏ ବେଳରେ ସେମାନେ ଅନ୍ୟର ହାତଧରି ଚାଲିବାକୁ ଇଚ୍ଛାକଲେ ମଧ୍ୟ ମିଳେ ଖାଲି ପ୍ରତାରଣା। ଅନବରତ ତାଙ୍କୁ ଦଂଶନ କରୁଥାଏ ନୈରାଶ୍ୟ।
ପୈତୃକ ସମ୍ପତ୍ତି ପାଇଁ ସନ୍ତାନ ସନ୍ତତିଙ୍କ ବ୍ୟଗ୍ରତା ଯେତିକିଥାଏ ମାତାପିତାଙ୍କ ସେବା ଯତ୍ନ ପାଇଁ ସେତିକି ତତ୍ପରତା ନ ଥାଏ। ସଂପତ୍ତିର ମୋହଭିତରେ ହଜିଯାଏ ସମ୍ପର୍କ। ସମ୍ପତ୍ତିର ମୁରବି ଏଠି ଥାଆନ୍ତି ଅସହାୟ। ପିଲାଙ୍କ ସବୁକଥାରେ ନୀରବ ସମ୍ମତି ଦେବା ଛଡ଼ା ତାଙ୍କର ଅନ୍ୟବାଟ କିଛି ନ ଥାଏ। ଏ ଦୁର୍ଦ୍ଦିନରେ ଆଶା ଓ ଆଶ୍ୱାସନାର ମାଧ୍ୟମ ପାଲଟିଥାନ୍ତି ପାଖପଡ଼ୋଶୀ। ରୋଗଶଯ୍ୟାରେ ସେବା ଓ ସହାନୁଭୂତି ଫିକା ପଡ଼ିଯାଏ। ଏ ଶେଷ ବୟସର ସାହା ହିଁ ଈଶ୍ୱର।
ସୁନ୍ଦରଭାବରେ ତୋଳିଥିବା ଘରର ପୁଅଟି ବିଦେଶରେ ଚାକିରି କରେ। ଘରକୁ ସୁନ୍ଦର ବୋହୂଟିଏ ଆସେ। ଆସନ୍ତି ପୁଣି ସନ୍ତାନସନ୍ତତି। ପୁଅ ବାହାରେ ଚାକିରି କରୁଥିବା କାରଣରୁ ଅଗତ୍ୟା ବୋହୂକୁ ମଧ୍ୟ ସେଠାକୁ ଯିବାକୁ ପଡ଼ିଥାଏ। ଘରେ ଏବେ ବିରାଜୁଥାଏ କେବଳ ଶୂନ୍ୟତା। ବୃଦ୍ଧ ମାତାପିତା ବିଦେଶକୁ ଯିବାପାଇଁ ଅସହଜ ମଣନ୍ତି। ଭିଟାମାଟିର ମୋହ ପରିତ୍ୟାଗ କରିବା ସମ୍ଭବତଃ ସେମାନଙ୍କ ପକ୍ଷରେ କଷ୍ଟକର ଥାଏ। ସୁତରାଂ ମାଟିକାମୁଡ଼ି ସେମାନେ ପଡ଼ିରହନ୍ତି ସେଇଠି। ପୁଅମାନେ ମଧ୍ୟ କର୍ତ୍ତବ୍ୟ ସଂପାଦନା କରିବାକୁ ଯାଇ ମାତାପିତାଙ୍କ ପାଖରେ ଛାଡ଼ିଦେଇ ଯାଆନ୍ତି ଘରଟେ, ଚାକରଟେ, କୁକୁରଟେ ଓ ଖଣ୍ଡିଏ ମୋବାଇଲ ଫୋନ। ବାସ୍‌ ଏତକ ସମ୍ବଳନେଇ ବିତିଯାଏ ସେମାନଙ୍କର ଅବଶିଷ୍ଟ ଆୟୁଷ।
ବଡ଼ ବିଚିତ୍ର ଓ ଦୁଃଖଦ ସ୍ଥିତି ଆଣିଦିଏ ଏ ଶେଷ ବୟସ। ଏଠି ନା ମିଳେ ପୁଅ ବୋହୂଙ୍କ ସେବା ଶୁଶ୍ରୂଷା ଅବା ନାତିନାତୁଣୀଙ୍କ ଆତ୍ମୀୟତା। ଖାଲି ଭୋଗିବାକୁ ହୋଇଥାଏ ନିଃସଙ୍ଗତା। ପାଖରେ ସୁନ୍ଦର ଘରଟିଏ ଥାଏ ସତ, ହେଲେ ଏକ ସୁନ୍ଦର ମନର ଅଭାବ ପରିଲକ୍ଷିତ ହୋଇଥାଏ। ନିଜ ମର୍ଜିରେ କାମକରିଚାଲିଥାଏ ପରିଚାରକ। ପାଖରେ ମୋବାଇଲ ଫୋନ ଥାଏ ସତ, ହେଲେ ଫୋନ କଲ୍‌ ପାଇଁ ସମ୍ପର୍କର ଅଭାବ ଥାଏ। ଏ ବେଳରେ ଘରର ଜଗୁଆଳି କୁକୁର ତା’ ମହାନତା ପ୍ରଦର୍ଶନ କରିଥାଏ। ବିଶ୍ୱସ୍ତପଣିଆର ସାଥୀ ସାଜି ପାଖେ ପାଖେ ଜଗି ବସିଥାଏ।
ଚଷମା ଭିତରୁ ଜୁଳୁଜୁଳୁ କରି ବୃଦ୍ଧ ଦମ୍ପତି ଚାହିଁରହିଥାନ୍ତି ଶୂନ୍ୟକୁ। ବଙ୍କୁଲିବାଡ଼ିର ସହଚର୍ଯ୍ୟରେ ପାଦେପାଦେ ଆଗକୁ ବଢ଼ିବାର ଆଶା ଟିକକ ତଥାପି ମରି ନ ଥାଏ ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ। ଈଶ୍ୱରଙ୍କ ଉପରେ ଆସ୍ଥା ଓ ଭରସା ରଖି ଅଗତ୍ୟା ଭୋଗିବାକୁ ହୋଇଥାଏ ଶେଷ ବୟସର ସମୟ। ବେଳେବେଳେ ଅଭିମାନ ଭରା ସ୍ବରରେ ସେମାନେ ପଚାରିବସନ୍ତି – ହେ ଈଶ୍ୱର! ଏ ଶେଷ ବୟସର କ’ଣ ଶେଷ ନାହିଁ ?

  • ସଂଗ୍ରାମ କେଶରୀ ପୃଷ୍ଟି
    ଶିକ୍ଷକ, କିଶୋରନଗର ଉଚ୍ଚ ବିଦ୍ୟାଳୟ, ରାଜ କିଶୋରନଗର, ଅନୁଗୋଳ
    ମୋ- ୯୪୩୭୫୪୭୧୪୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri