୪ ଜିଲା ପଛୁଆବର୍ଗ, ୧୪ ଜିଲା ଏସ୍‌ସି,ଏସ୍‌ଟିଙ୍କ ପାଇଁ ସଂରକ୍ଷିତ

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ଜିଲା ପରିଷଦ ଅଧ୍ୟକ୍ଷ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶନିିବାର ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ ପଛୁଆବର୍ଗଙ୍କ ପାଇଁ ୪ ଜିଲା ସଂରକ୍ଷିତ ରଖାଯାଇଛି। ସେଗୁଡ଼ିକ ହେଲା ଅନୁଗୋଳ, କେନ୍ଦୁଝର, ଖୋର୍ଦ୍ଧା ଓ ଗଜପତି। ସେହିପରି ଅନୁସୂଚିତ ଜାତି ଓ ଜନଜାତି ପାଇଁ ୧୨ଟି ଜିଲାକୁ ଅଣସଂରକ୍ଷିତ ରଖାଯାଇଛି। ସେଗୁଡ଼ିକ ହେଲା କଳାହାଣ୍ଡି, ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଗଞ୍ଜାମ, ଦେବଗଡ଼, ନୂଆପଡ଼ା ଓ ପୁରୀ। ସେହିପରି ଅବଶିଷ୍ଟ ୧୪ ଜିଲାକୁ ଅନୁସୂଚୀତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ସମୁଦାୟ ଅଧ୍ୟକ୍ଷ ଆସନରୁ ମହିଳାଙ୍କ ଲାଗି ୫୦ ପ୍ରତିଶତ ଆସନ ସଂରକ୍ଷିତ ରଖାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅନୁଗୋଳ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ପଛୁଆବର୍ଗ ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଥିବା ବେଳେ କଟକ ଅନୁସୂଚିତ ଜାତି ମହିଳା, କଳାହାଣ୍ଡି ଅଣସଂରକ୍ଷିତ ମହିଳା, କୋରାପୁଟ ଅନୁସୂଚିତ ଜନଜାତି ମହିଳା, ଖୋର୍ଦ୍ଧା ପଛୁଆବର୍ଗ ମହିଳା, ଗଞ୍ଜାମ ଅଣସଂରକ୍ଷିତ ମହିଳା, ଢେଙ୍କାନାଳ ଅଣସଂରକ୍ଷିତ ମହିଳା, ନୟାଗଡ଼ ଅନୁସୂଚିତ ଜନଜାତି ମହିଳା, ନୂଆପଡ଼ା ଅଣସଂରକ୍ଷିତ ମହିଳା, ବରଗଡ଼ ଅଣସଂରକ୍ଷିତ ମହିଳା, ବୌଦ୍ଧ ଅଣସଂରକ୍ଷିତ ମହିଳା, ଭଦ୍ରକ ଅନୁସୂଚିତ ଜାତି ମହିଳା, ମାଲକାନଗିରି ଅନୁସୂଚିତ ଜାତି ମହିଳା, ରାୟଗଡ଼ା ଅନୁସୂଚିତ ଜାତି ମହିଳା ଏବଂ ସୋନପୁର ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି।
ପଞ୍ଚାୟତିରାଜ ବିଭାଗ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଓଡ଼ିଶା ଜିଲା ପରିଷଦ ଅଧିନିୟମ-୧୯୯୧ର ଧାରା ୮ ଅନ୍ତର୍ଗତ ଉପଧାରା ୩ରେ ଥିବା କ୍ଷମତା ବଳରେ ଜିଲା ପରିଷଦଗୁଡ଼ିକରେ ଅଧ୍ୟକ୍ଷ ପଦବୀଗୁଡ଼ିକ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆବର୍ଗ ଓ ମହିଳାଙ୍କ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ କରିଛନ୍ତି, ତାହାର ଏକ ଚିଠା ଉକ୍ତ ଧାରାର ଉପଧାରା ୫ ଅନୁସାରେ କରାଯାଇଛି। ଏଥିସହିତ ଆସନ୍ତା ୨୫ ତାରିଖ ସୁଦ୍ଧା ସର୍ବସାଧାରଣ ଏ ନେଇ ଅଭିଯୋଗ କିମ୍ବା ପରାମର୍ଶ ଦେଇପାରିବେ। ଅଭିଯୋଗ ଓ ପରାମର୍ଶ ମିଳିବା ପରେ ଏହାକୁ ବିଚାରକୁ ନେଇ ଚିଠା ସଂରକ୍ଷଣ ପ୍ରସ୍ତାବ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ।