ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍ୟୁଏସ୍)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍ ଘଡ଼ି ନିର୍ମାଣ କରିବାରେ ସଫଳତା ହାସଲ କରିଛନ୍ତି । ଏହି ନୂତନ ଅଟୋମିକ୍ (ଆଣବିକ) ଘଡ଼ି ସମୟର ଅତି କ୍ଷୁଦ୍ରତମ ଭାଗ(ଏକ ସେକେଣ୍ଡର ୧ ଟ୍ରିଲିୟନ ଭାଗ ପର୍ଯ୍ୟନ୍ତ)କୁ ମଧ୍ୟ ବିନା କୌଣସି ଭୁଲ୍ରେ ମାପିପାରିବ। ପରିବେଶଗତ ତାପମାତ୍ରା କିମ୍ବା ଚୁମ୍ବକୀୟ କ୍ଷେତ୍ରର ପରିବର୍ତ୍ତନ ଦ୍ୱାରା ଏହାର ସମୟ ଗଣନା ପ୍ରଭାବିତ ହୋଇନଥାଏ, ଯାହା ଏହାକୁ ବିଶ୍ୱର ଅନ୍ୟ ସମସ୍ତ ପରମାଣୁ ଘଡ଼ି ତୁଳନାରେ ସବୁଠାରୁ ଅଧିକ ସ୍ଥିର କରିପାରିଛି।
ଆଟୋମିକ୍ ଘଡ଼ିଗୁଡ଼ିକ ଆଣବିକ ପରିବର୍ତ୍ତନକୁ ଆଧାରକରି ସମୟ ଗଣନା କରିଥାନ୍ତି, ଯେଉଁଥିରେ ଲେଜର ରଶ୍ମିର ଆଲୋକ ତରଙ୍ଗ ଏକ ପେଣ୍ଡୁଲମ ଭଳି କାର୍ଯ୍ୟ କରିଥାଏ । ୧୯୫୫ ମସିହାରେ ସିଜିୟମ ଧାତୁ ବ୍ୟବହାର କରି ପ୍ରଥମ ଆଟୋମିକ୍ ଘଡ଼ି ତିଆରି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଇଟରବିୟମ, ଷ୍ଟ୍ରୋନ୍ସିୟମ ଓ ଆଲୁମିନିୟମ ଭଳି ଧାତୁର ବ୍ୟବହାର କରାଯାଇଥିଲା। ତେବେ ଭୌତିକ ବିଜ୍ଞାନ ବିଭାଗର ଆସୋସିଏଟ ପ୍ରଫେସର ମୁରେ ବାରେଟ୍ଙ୍କ ନେତୃତ୍ୱରେ ଗବେଷକ ଦଳ ଗତ ଦଶନ୍ଧିରୁ ଅଧିକ ସମୟ ଧରି ଲୁଟେଟିୟମ (ପରମାଣୁ କ୍ରମାଙ୍କ ୭୧) ଉପରେ ଗବେଷଣା କରି ଏହି ଅଭୂତପୂର୍ବ ସଫଳତା ପାଇଛନ୍ତି ।
ଗବେଷକମାନଙ୍କ ଅନୁସାରେ, ଏହି ଘଡ଼ି ଅତ୍ୟନ୍ତ ପ୍ରତିକୂଳ ପରିବେଶରେ ମଧ୍ୟ ନିଜର ନିର୍ଭୁଲତା ବଜାୟ ରଖିପାରିବ। ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ ‘ଡେଥ୍ ଭ୍ୟାଲି’ରୁ ଆରମ୍ଭ କରି ଆଣ୍ଟାର୍କଟିକାର ସବୁଠାରୁ ଥଣ୍ଡା ଅଞ୍ଚଳ ପର୍ଯ୍ୟନ୍ତ ଯେକୌଣସି ପରିବେଶରେ ଏହି ଲୁଟେଟିୟମ ଘଡ଼ି ସମାନ ଭାବେ ସ୍ଥିର ଓ ନିର୍ଭୁଲ ସମୟ ଦେଖାଇବ। କୋରିଲେଶନ ସ୍ପେକ୍ଟ୍ରୋସ୍କୋପି ପଦ୍ଧତିରେ ୨୦୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ନିରନ୍ତର ପରୀକ୍ଷଣ କରାଯାଇ ଏହାର ନିର୍ଭୁଲତା ପ୍ରମାଣିତ କରାଯାଇଛି, ଯାହା ଭବିଷ୍ୟତର ସମୟ ନିରୂପଣ ପ୍ରଯୁକ୍ତିରେ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।