ଯନ୍ତ୍ରୀଙ୍କ ଘରୁ ବାଳଶ୍ରମିକ ଉଦ୍ଧାର

ଫୁଲବାଣୀ ଅଫିସ,୧୫ା୨: ଫୁଲବାଣୀ କ୍ଷୁଦ୍ର ଜଳସେଚନ (ଏମ୍‌ଆଇ) ବିଭାଗ ଯନ୍ତ୍ରୀଙ୍କ ଘରୁ ଜଣେ ବାଳଶ୍ରମିକଙ୍କୁ ବୁଧବାର ଚାଇଲ୍ଡ ଲାଇନ ଏବଂ ଜିଲା ଶ୍ରମ ବିଭାଗ ଅଧିକାରୀ ଚଢ଼ାଉ କରି ଉଦ୍ଧାର କରିଛ। ନାବାଳକଙ୍କୁ ଜିଲା ମଙ୍ଗଳ କମିଟି(ସିଡବ୍ଲ୍ୟୁସି)ରେ ହାଜର କରାଯିବା ପରେ ତାଙ୍କୁ ସାଧନ କେନ୍ଦ୍ରରେ ରଖାଯାଇଛି। ସେଠାରେ ତାଙ୍କ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସିଡବ୍ଲ୍ୟୁସି ଅଧ୍ୟକ୍ଷ ରଜତ କୁମାର ଦିଗାଲ ପ୍ରକାଶ କରିଛନ୍ତି।

ସୂଚନାନୁସାରେ ନାବାଳକଙ୍କ ଘର ଚକାପାଦ ଥାନା ଅଞ୍ଚଳରେ। ସେ ପ୍ରାୟ ଦେଢ଼ ବର୍ଷ ହେବ ଏମ୍‌ଆଇ ଯନ୍ତ୍ରୀ(ଏଷ୍ଟିମେଟର) ପ୍ରଣତୀ ପଟ୍ଟନାୟକଙ୍କ ଘରେ କାମ କରି ଆସୁଥିଲେ। ଘଟଣା ନେଇ କେହି ଚାଇଲ୍ଡ ଲାଇନ୍‌କୁ ୧୦୯୮(ଟୋଲ୍‌ ଫ୍ରି) ନଂ ଜରିଆରେ ଖବର ଦେଇଥିଲେ। ସୂଚନା ପାଇବା ପରେ ଜିଲା ଶ୍ରମ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଜିଲା ଉପଶ୍ରମଧିକାରୀ ଶୁଭଦର୍ଶନୀ ନାୟକଙ୍କ ନେତୃତ୍ୱରେ ଚାଇଲ୍ଡ ଲାଇନ୍‌ର କେନ୍ଦ୍ର ସଂଯୋଜିକା ରିତା କମ୍‌, ସଦସ୍ୟ ଶିବଶଙ୍କର ବେହେରା, ସୌମ୍ୟରଞ୍ଜନ ମିଶ୍ର ପ୍ରମୁଖ ମିଳିତ ଭାବେ କ୍ଷୁଦ୍ର ଜଳସେଚନ ବିଭାଗ କଲୋନୀକୁ ଯାଇ ନାବାଳକଙ୍କୁ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ଉପ ଶ୍ରମଧିକାରୀ ନାୟକ ସୂଚନା ଦେଇଛନ୍ତି।