ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ ଯିବା ନେଇ ଚର୍ଚ୍ଚା ପୁଣି ଜୋର ଧରିଛି। ଯଦି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଏବଂ ଅଦଳବଦଳ ହୁଏ ତେବେ ପ୍ରାୟ ୮ ରୁ ୧୦ ଜଣ ବିଧାୟକ ମନ୍ତ୍ରୀମଣ୍ଡଳରେ ସୁଯୋଗ ପାଇବା ସମ୍ଭାବନା ରହିଛି। ଏହିଭଳି ଗଞ୍ଜାମ ଜିଲାରୁ ମଧ୍ୟ ଅନେକ ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବାପାଇଁ ସେମାନଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ଦାବି ଏବଂ ନିଦେନ କରିଛନ୍ତି। ଯଦି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୁଏ ତେବେ ଗଞ୍ଜାମରୁ ୨ ଜଣ ନବାଗତ ବିଧାୟକ ମନ୍ତ୍ରୀ ହେବା ସୁନିଶ୍ଚିତ ବୋଲି ଆଲୋଚନା ହେଉଛି।
ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲାର ଦୁଇ ଜଣ ପ୍ରଭାବଶାଳୀ ବିଧାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଇତିମଧ୍ୟରେ ଏକାଧିକ ଥର ଭେଟି ଦୀର୍ଘ ସମୟ ଆଲୋଚନା କରିଛନ୍ତି। କିନ୍ତୁ ଉକ୍ତ ଆଲୋଚନା କଣ ଥିଲା ତାହା ଜଣାପଡ଼ିନାହିଁ। ଅନ୍ୟପଟେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରୁ କିଏ ମନ୍ତ୍ରୀ ନ ଥିବା ଯୋଗୁ ପ୍ରଦ୍ୟୁମ୍ନଙ୍କୁ ଏଥିରେ ସୁଯୋଗ ମିଳିବ ବୋଲି ତାଙ୍କ ସମର୍ଥକ ମାନେ ଦୃଢ଼ ଆଶା ରଖିଛନ୍ତି। ସେ ରାଜ୍ୟର ଜଣେ ଜଣାଶୁଣା ଓବିସି ନେତା ଭାବେ ମଧ୍ୟ ପରିଚିତ। ସେ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ଜଣେ ଜାତୀୟ କର୍ମକର୍ତ୍ତା । ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ବର୍ତ୍ତମାନ ଅଛନ୍ତି।
ରାଜ୍ୟ ବାର ଆସୋସିଏସନର ମଧ୍ୟ ଜଣେ କର୍ମକର୍ତ୍ତା। ଏଥିସହ ସେ ରାଜ୍ୟସ୍ତରୀୟ ଅନେକ ସଂସ୍ଥା ସହ ଜଡିତ। ଜଣେ ଦକ୍ଷ ସଂଗଠକ, ସମାଜସେବୀ ଓ ଆଧ୍ୟାତ୍ମିକ ପ୍ରେମୀ ଭାବେ ସେ ପରିଚିତ। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଦୁଇ ଥର ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇ ନିଜର ଦକ୍ଷତା ପ୍ରଥମେ ପ୍ରଦର୍ଶନ କରିଛନ୍ତି। ଏଥିସହ ଭଞ୍ଜନଗର ବାର ଆସୋସିଏସନର ଏକାଧିକ ଥର ସଭାପତି ହୋଇଛନ୍ତି । ଯାହାକି ଏକ ରେକର୍ଡ। ଏଭଳି ଜଣେ ଦକ୍ଷ ନେତା ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ କରାଗଲେ ଗଞ୍ଜାମ ଓ କନ୍ଧମାଳ ଜିଲା ସମେତ ଅନ୍ୟାନ୍ୟ ଜିଲାରେ ମଧ୍ୟ ଦଳୀୟ ସଂଗଠନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଏନେଇ ପ୍ରଦ୍ୟୁମ୍ନଙ୍କ ଶତାଧିକ ସମର୍ଥକ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦବୀ ଦେବାପାଇଁ ନିବେଦନ କରିଛନ୍ତି। ଏଥିସହ ଯେଉଁ ବିଧାୟକ ଏବଂ ବରିଷ୍ଠ ନେତାମାନେ ଜିଲାର ବଳକା ରହିବେ ସେମାନଙ୍କୁ ମଧ୍ୟ ନିଗମ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ରେ ଥଇଥାନ କରାଯିବ ନେଇ ମଧ୍ୟ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ, ଭାଜପା ସରକାରକୁ ଆଉ କିଛି ଦିନ ପରେ ଦୁଇ ବର୍ଷ ପୁରିବାକୁ ଯାଉଛି। ଏବେବି ମନ୍ତ୍ରୀ, ନିଗମ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ଗୁଡିକ ଖାଲି ପଡ଼ିଛି। ତାହାକୁ ପୂରଣ କରାଯାଇପାରୁନାହିଁ। ଯାହାକୁ ନେଇ ଦଳ ଭିତରେ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ କିଛି ଦିନ ପୂର୍ବେ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ଦଳର ସଂଗଠନ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ନେତାମାନଙ୍କ ଅଭିମାନ ଓ ଅସନ୍ତୋଷକୁ ଦମନ କରିବା ପାଇଁ ବିଭିନ୍ନ ନେତା ଓ ବିଧାୟକଙ୍କୁ ଖୁବଶୀଘ୍ର ଥଇଥାନ ଯୋଜନା ରହିଛି।
ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁଲାଇ ମାସରେ ପୁରୀଠାରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ ବୋଲି କହିଥିଲେ। କିନ୍ତୁ ସେ ସମୟରେ ଏହା କେବଳ କଥାରେ ରହିଯାଇଥିଲା। ଇତିମଧ୍ୟରେ ଭାଜପା ସରକାରକୁ ଦୁଇ ବର୍ଷ ପୁରିବାକୁଯାଉଥିବା ବେଳେ ପୁଣି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ କିଛି ବରିଷ୍ଠ ନେତା କହିଲେଣି। ଯାହାକୁ ନେଇ ବିଧାୟକ ମାନଙ୍କ ଲବି ଆରମ୍ଭ ହୋଇଯାଇଛି । ଆଗକୁ କିଏ ମନ୍ତ୍ରୀ ହେଉଛି ନା ପୁଣି କିଛି ଦିନର ଚର୍ଚ୍ଚା ପରେ ତାହା ନୀରବି ଯାଉଛି ତାହା ଦେଖିବାକୁ ବାକି ରହିଲା।