ରିପୋର୍ଟରେ ସମ୍ପୂର୍ଣ୍ଣ, ମିଳୁନି ପାଣି

ଯାଜପୁର/ଯାଜପୁର ସଦର(ହର୍ଷବର୍ଦ୍ଧନ ବେହେରା/ସମର ବିଜୟ ଶରଣ) : ରିପୋର୍ଟ କହୁଛି ୨ ରୁ ୫ ବର୍ଷ ହେଲା ମେଗା ଉଠା ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଛି। ଏନେଇ ରାଜ୍ୟ ସରକାରଙ୍କୁ ସବିଶେଷ ରିପୋର୍ଟ ମଧ୍ୟ ଦିଆସରିଛି। ହେଲେ ଚାଷୀ କହୁଛନ୍ତି ଏଯାଏ ସେମାନଙ୍କ ବିଲରେ ପାଣି ମାଡ଼ି ନାହିଁ। ଯାଜପୁର ଜିଲା ତନ୍ତୀଘାଇ ନଦୀରେ ୩୩.୧୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ୨ଟି ମେଗା ପ୍ରକଳ୍ପକୁ ନେଇ ଚାଷୀ ଏଭଳି କହିଛନ୍ତି। ମେଗା ଜଳସେଚନ ପ୍ରକଳ୍ପ ଚାଷୀଙ୍କ ସ୍ବାର୍ଥରେ ନା ଅଣଓଡ଼ିଆ ଠିକାଦାରଙ୍କ ବ୍ୟାଙ୍କ ବାଲାନ୍ସ୍ସ ବଢ଼େଇବାକୁ ନିର୍ମାଣ ହୋଇଛି ବୋଲି ଚାଷୀମାନେ ପ୍ରଶ୍ନ କରୁଛନ୍ତି। ମରୁଡି ସମୟରେ ଏହି ପ୍ରକଳ୍ପ ସହାୟକ ହେବ ଏବଂ ଦୁଇ ଫସଲି କରି ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇପାରିବା ଲକ୍ଷ୍ୟ ଚାଷୀଙ୍କ ପାଇଁ ସପନ ହୋଇଛି।
ଯାଜପୁର ଜିଲାର ବଡଚଣା, ଧର୍ମଶାଳା, ଯାଜପୁର ଓ ରସୁଲପୁର ବ୍ଲକ ଅଞ୍ଚଳରେ ୧୨ଟି ପ୍ରକଳ୍ପରେ ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ପରିକଳ୍ପନା ହୋଇଥିଲା। କିନ୍ତୁ ସମସ୍ତ ପ୍ରକଳ୍ପରେ ଏଯାଏ ପାଇପ୍‌ ବିଛା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ବିଭାଗୀୟ ସରକାରୀ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ଏବଂ ଚାଷୀଙ୍କ ଜମିରେ ପାଣି ମାଡୁଥିବା ରିପୋର୍ଟ ଦିଆଯାଉଛି। ରିପୋର୍ଟ ଅନୁସାରେ ତନ୍ତୀଘାଇ ବାମ ପ୍ରକଳ୍ପରେ ୮.୦୮ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ଏହି ପ୍ରକଳ୍ପରେ ସମୁଦାୟ ୩୮୬.୮୮ ହେକ୍ଟର ଜମିରେ ପାଣି ମାଡିବ ବୋଲି ଧାର୍ଯ୍ୟ ହୋଇଥିଲା। ୨୦୧୮-୧୯ରୁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଥିବା ବିଭାଗୀୟ ରିପୋର୍ଟରେ ଦର୍ଶାଯାଇଛି। ହେଲେ ଚାଷୀ ଏଯାଏ ବୁନ୍ଦାଏ ପାଣି ପାଇ ନାହାନ୍ତି ବୋଲି କହୁଛନ୍ତି। ସେହିପରି ତନ୍ତୀଘାଇ ଡାହାଣ ପ୍ରକଳ୍ପ ନିର୍ମାଣ ପାଇଁ ୨୫.୦୬ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଏଥିରେ ୧୨୦୦.୩୭ ହେକ୍ଟର ଜମିରେ ପାଣି ମାଡିବ ବୋଲି ଧାର୍ଯ୍ୟ ହୋଇଥିଲା। ଏହି ପ୍ରକଳ୍ପ ୨୦୨୦-୨୧ ବର୍ଷରୁ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଥିଲେ ହେଁ ଚାଷୀଙ୍କ ଧାର୍ଯ୍ୟ ଜମିରେ ପାଣି ମାଡିନାହିଁ। ବର୍ତ୍ତମାନ ରୁଆ ବିହୁଡ଼ା ପାଇଁ ଚାଷୀ ସଜବାଜ ହେଉଥିବାବେଳେ ଆବଶ୍ୟକ ପାଣି ଅଭାବରୁ ଚାଷୀ ଚିନ୍ତାରେ ପଡିଛନ୍ତି। ଏଭଳିସ୍ଥିତିରେ ମେଗା ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ ଆଶା ଭରସାକୁ ପାଣିରେ ପକେଇ ଦେଇଥିବା ମତପ୍ରକାଶ ପାଇଛି। ଏହି ଦୁଇଟି ପ୍ରକଳ୍ପ ଉପରେ କାନପୁର, ଏରବାଙ୍କ, ତନ୍ତୀଘାଇ, ଭୁବନପୁର, ଇନ୍ଦାରୋଇ, ଜନ୍ଧର, ରିଷିପୁର, ଷୋଳବାଟି, ମହମଦଜମାପୁର, ମହମଦପୁର, ଅରଖିଆବାଙ୍କ, ଠିଆରଦେବିଲ, ବରିଲୋ ପ୍ରଭୃତି ଗ୍ରାମର ଜମିକୁ ପାଣି ମାଡିବ ବୋଲି ପରିକଳ୍ପନା କରାଯାଇଛି। ଅନ୍ୟପକ୍ଷେ ପ୍ରକଳ୍ପର କର୍ତ୍ତୃପକ୍ଷ କହୁଛନ୍ତି ନଦୀରେ ପାଣି ଆସିଲେ ଚାଲିବ। ଦିନରେ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଆମେ ପାଣି ଯୋଗାଇବୁ। ନଦୀରେ ପାଣି ନ ଥିଲେ ଆମେ କେବଳ ପମ୍ପହାଉସକୁ ଜଗି ରହିବୁ ବୋଲି କହୁଛନ୍ତି। ଏଥିରୁ ନଦୀଗର୍ଭରେ ଆବଶ୍ୟକ ବୋରୱେଲ ଖୋଲା ଯାଇ ନ ଥିବା ସନ୍ଦେହ କରାଯାଉଛି।