Categories: ଯାଜପୁର

ଖବର ପ୍ରକାଶ ପରେ ରାସ୍ତାର ଗର୍ତ୍ତ ମରାମତି

ଯାଜପୁରରୋଡ୍‌,୩୦।୯(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦର ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନ ବଜାର ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଗର୍ତ୍ତର ମରାମତି କରାଯାଇଛି। ଏହି ଗର୍ତ୍ତରେ ବର୍ଷା ଜଳ ରହି ଯାତାୟାତରେ ବାଧା ସୃଷ୍ଟି କରିବା ସହ ଦୈନିକ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଥିଲା। ଏହା ସହରର ଏକ ପ୍ରମୁଖ ବ୍ୟସ୍ତବହୁଳ ରାସ୍ତା ହୋଇଥିବାବେଳେ ବହୁଦିନ ଧରି ଉକ୍ତ ଗର୍ତ୍ତ ମରାମତି ହେଉ ନ ଥିଲା। ଏନେଇ ଗତ ୨୨ ତାରିଖରେ ଧରିତ୍ରୀରେ ‘ରାସ୍ତା ମଝିରେ ଗର୍ତ୍ତ, ଦୁର୍ଘଟଣା ବଢୁଛି’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପୂର୍ବତଟ ରେଳପଥ ପକ୍ଷରୁ ଉକ୍ତ ଗର୍ତ୍ତ ମରାମତି କରାଯାଇଛି। ଉକ୍ତ ରାସ୍ତାଟି ପୂର୍ବତଟ ରେଳପଥ ଅଧୀନ ହୋଇଥିଲେ ମଧ୍ୟ ଉଭୟ ପୌର ପରିଷଦ ଓ ରେଳବିଭାଗ ଏହାର ରକ୍ଷଣା ବେଖଣ କରିଥାନ୍ତି। ଗର୍ତ୍ତ ମରାମତି ପରେ ଯାନବାହନ ଯାତାୟାତ ସ୍ବାଭାବିକ ହୋଇଛି। ଅଞ୍ଚଳବାସୀ ଏବଂ ବ୍ୟବସାୟୀମାନେ ଖୁସି ପ୍ରକଟ କରିବା ସହ ଧରିତ୍ରୀକୁ ଧନ୍ୟବାଦ ଜଣାଇଛନ୍ତି।