ଶହେ ମିଟରକୁ ୪ଶହ ଟଙ୍କା ଭଡ଼ା

ରାଉରକେଲା,୮।୯(ଦିନେଶ ମିଶ୍ର): ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍‌) ସହରର ଏକ ପ୍ରମୁଖ ଡାକ୍ତରଖାନା। ରାତି ପାହିଲେ ଏଠାକୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ତେବେ ଜରୁରୀକାଳୀନ ପରିସ୍ଥିତିରେ କୌଣସି ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲେ ସେଠାରେ ଥିବା କିଛି ଅଟୋ ଚାଳକ ଏହାର ଫାଇଦା ନେଇ ଅଧିକ ଭଡ଼ା ଦାବି କରୁଛନ୍ତି।
ପ୍ରକାଶ ଯେ, ଆର୍‌ଜିଏଚ୍‌ ପରିସରରେ ଅଟୋ ଚାଳକମାନେ ନିଜ ଅଟୋ ପାର୍କିଂ କରି ବସିଥାନ୍ତି। କୌଣସି ରୋଗୀ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହେଲେ କିଛି ଅଟୋ ଚାଳକ ଉକ୍ତ ରୋଗୀଙ୍କୁ ତାଙ୍କ ଅଟୋରେ ଯିବା ପାଇଁ ବାଧ୍ୟ କରିଥାନ୍ତି। ସେମାନେ ଜଣେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ନେବା ପାଇଁ ମନଇଛା ଭଡ଼ା ମଧ୍ୟ ନେଉଛନ୍ତି। ଫଳରେ ଦୂରଦୁରାନ୍ତରୁ ଆସୁଥିବା ରୋଗୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଆରଜିଏଚ୍‌ରୁ ଯଦି କୌଣସି ରୋଗୀଙ୍କୁ ସହର ଭିତରେ ଥିବା ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଏ ତେବେ ଏହି ଅଟୋ ଚାଳକ ମନଇଛା ଭଡ଼ା ନିଅନ୍ତି। ଆର୍‌ଜିଏଚ୍‌ର ପ୍ରାୟ ଦୁଇ କିଲୋମିଟର ଭିତରେ କିଛି ଘରୋଇ ଡାକ୍ତରଖାନା ରହିଛି। ସେଠାକୁ ଯିବା ପାଇଁ ଅଟୋ ଚାଳକ ୫ଶହରୁ ୧ହଜାର ଟଙ୍କା ପର୍ଯ୍ୟନ୍ତ ନେଉଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ସେଠାରେ ଅଟୋ ଭଡ଼ା ବାବଦ କୌଣସି ମୂଲ୍ୟସୂଚୀ ଫଳକ ଲଗାଯାଇନାହିଁ। ଫଳରେ ଜରୁରୀକାଳୀନ ପରିସ୍ଥିତିରେ ଏହି ଅଟୋ ଚାଳକଙ୍କ ଶୋଷଣର ଶିକାର ହେବାକୁ ପଡୁଛି। ଏ ନେଇ ଆରଜିଏଚ୍‌ରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ସମ୍ପର୍କୀୟ ସୋନୁ ସାହୁ ଅଭିଯୋଗ କରିଛନ୍ତି, ଗତ ଅଗଷ୍ଟ ୧୪ ତାରିଖରେ ତାଙ୍କ ବାପା ଦୟାଲ ସାହୁ ଆରଜିଏଚ୍‌ର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଥିଲେ। ଆରଜିଏଚ୍‌ରେ ଏକ୍ସରେ ମେଶିନ ଖରାପ ଥିବାରୁ ସୋନୁ ଏକ୍ସରେ ପାଇଁ ତାଙ୍କ ବାପାଙ୍କୁ ଏକ ଅଟୋରେ ଆରଜିଏଚ୍‌ ପରିସର ବାହାରକୁ ନେଇଥିଲେ। ସମ୍ପୃକ୍ତ ଅଟୋ ଚାଳକ ମାତ୍ର ୫୦ ମିଟର ଦୂରକୁ ଯିବା ପାଇଁ ତାଙ୍କଠାରୁ ୪ଶହ ଟଙ୍କା ଭଡ଼ା ନେଇଥିବା ସୋନୁ କହିଛନ୍ତି। ଏ ସମ୍ପର୍କରେ ଆର୍‌ଜିଏଚ୍‌ ଅଟୋ ଆସୋସିଏଶନ ସଭାପତି ନିଳାଚଳ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଆର୍‌ଜିଏଚ୍‌ ପରିସରରେ ଥିବା ଅଟୋ ଷ୍ଟାଣ୍ଡରେ ଏଭଳି ଭଡ଼ା ଆଦାୟକୁ ନେଇ ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଯଦି କୌଣସି ରୋଗୀ ଏଭଳି ଶୋଷଣର ଶିକାର ହେଉଛନ୍ତି ତେବେ ଆମକୁ ଜଣାନ୍ତୁ। ସମସ୍ତଙ୍କ ଅବଗତି ପାଇଁ ଷ୍ଟାଣ୍ଡ ଭିତରେ ଆଗାମୀ ୧୦ ଦିନ ମଧ୍ୟରେ ଏକ ରେଟ୍‌ ଚାର୍ଟ ଲଗାଇବା ବ୍ୟବସ୍ଥା କରାଯିବ ବୋଲି ମିଶ୍ର କହିଥିଲେ।