ବନ୍ୟା ଜଳ ଛାଡ଼ିଲା ରେଙ୍ଗାଳି

କଣିହାଁ,୫।୮ (ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍‌ରୁ ବୁଧବାର ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଡ୍ୟାମ୍‌ର ଗୋଟିଏ ଗେଟ୍‌ ଖୋଲାଯାଇଥିବା ସୂଚନା ମିଳିଛି। ଅଧୀକ୍ଷଣ ଯନ୍ତ୍ରୀ ଅଜିତ ଜେନା କହିଛନ୍ତି, ରେଙ୍ଗାଳି ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର। ବୁଧବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଡ୍ୟାମ୍‌ର ଜଳସ୍ତର ୧୧୯.୮୨ ମିଟରରେ ପହଞ୍ଚିଥିଲା। ଫଳରେ ପୂର୍ବାହ୍ନ ୧୧ଟା ୧୦ରେ ଡ୍ୟାମ୍‌ର ୭ନଂ. ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିଲା। ଅପରାହ୍ନ ୪ଟା ସୁଦ୍ଧା ଡ୍ୟାମ୍‌ର ଜଳସ୍ତର ୧୧୯.୮୪ ମିଟର ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧୦୪୫.୧୩ ଘନ ମିଟର ଜଳ ପ୍ରବେଶ କରୁଥିବାବେଳେ ପାୱାର ଚ୍ୟାନେଲ ଓ ଖୋଲାଯାଇଥିବା ଗୋଟିଏ ଗେଟ୍‌ ଦେଇ ମୋଟ ୧୪୮୦.୭୫ ଘନମିଟର ବନ୍ୟା ଜଳ ନିଷ୍କାସିତ ହେଉଛି। ଡ୍ୟାମ୍‌ ଗେଟ୍‌ ଖୋଲିବା ସମୟରେ ମୁଖ୍ୟଯନ୍ତ୍ରୀ ପ୍ରଭାକର ବେହେରା, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ର, ଉପଖଣ୍ଡ ଅଧିକାରୀ ଶଙ୍କରାନନ୍ଦ ରଣା, ସହକାରୀ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ବେହେରା, ଜ୍ୟୋତିରଞ୍ଜନ ସିଂ, କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମଣ ମୂର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।