ରେଙ୍ଗଳ ସରପଞ୍ଚ ପଦ ଅସିଦ୍ଧ ଘୋଷିତ

ପିପିଲି,୧୯ା୧(ଦୁର୍ଗାମାଧବ ମିଶ୍ର): ଡେଲାଙ୍ଗ ବ୍ଲକ ରେଙ୍ଗଳ ସରପଞ୍ଚ ପଦବୀକୁ ନିର୍ବାଚନ ଟ୍ରିବ୍ୟୁନାଲ ତଥା ପିପିଲି ସିଭିଲ ଜଜ୍‌ ଜୁନିୟର ଡିଭିଜନ ସଂଗ୍ରାମ କୁମାର ମିଶ୍ର ଗୁରୁବାର ଅସିଦ୍ଧ ଘୋଷଣା କରିଛନ୍ତି। ଉକ୍ତ ପଞ୍ଚାୟତର ନିର୍ବାଚନ ଅନିୟମିତତାକୁ ନେଇ ନିର୍ବାଚନ ଟ୍ରିବ୍ୟୁନାଲ ତଥା ପିପିଲି ସିଭିଲ ଜଜ୍‌ ଜୁନିୟରଙ୍କ କୋର୍ଟରେ ମାମଲା ବିଚାରାଧୀନ ଥିଲା। ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କ୍ରମେ ଗତ ଡିସେମ୍ବର ୮ରେ ସରପଞ୍ଚ ପଦବୀର ଭୋଟ ବାଲଟ ପେପର ଓ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପୁନଃ ତନଖି କରାଯାଇଥିଲା ଓ ରାୟ ସଂରକ୍ଷିତ ରଖାଯାଇଥିଲା। ବିଚାରପତି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ନିର୍ବାଚନରେ ଅନିୟମିତତା ହୋଇଥିବା ଦର୍ଶାଇ ସରପଞ୍ଚ ସାଗରିକା ବଡ଼ଜେନାଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିବା ସହ ରେଙ୍ଗଳ ପଞ୍ଚାୟତର ସରପଞ୍ଚ ପଦବୀ ସାମୟିକ ଖାଲି ରହିଲା ବୋଲି କହିଛନ୍ତି। ସେହିପରି ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ଡେଲାଙ୍ଗ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଏବଂ ପୁରୀ ଉପ ଜିଲାପାଳଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ୨୦୨୨ ଫେବୃଆରୀରେ ରେଙ୍ଗଳ ପଞ୍ଚାୟତରେ ସରପଞ୍ଚ ପଦ ନିମନ୍ତେ ଭୋଟ ଗ୍ରହଣ କରାଯାଇଥିଲା। ୨୬ ତାରିଖରେ ଭୋଟ ଗଣତି ହୋଇଥିଲା। ପଞ୍ଚାୟତର ୪୦୪୯ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ୧୫୬ ଖଣ୍ଡ ଭୋଟ ନାକଚ ହୋଇଥିଲା। ସରପଞ୍ଚ ପ୍ରାର୍ଥୀ ସ୍ବର୍ଣ୍ଣଲତା ରାଉତରାୟଙ୍କୁ ୧୮ ଖଣ୍ଡ ଭୋଟରେ ହରାଇ ପ୍ରାର୍ଥୀ ସାଗରିକା ବଡ଼ଜେନା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ସାଗରିକା ୧୫୨୫ ଖଣ୍ଡ ପାଇଥିବା ବେଳେ ସ୍ବର୍ଣ୍ଣଲତା ୧୫୦୭ ଖଣ୍ଡ ଭୋଟ ପାଇଥିଲେ। ତେବେ ଉକ୍ତ ପଞ୍ଚାୟତର ଓ୍ବାର୍ଡ ନମ୍ବର ୬ରୁ ୧୨ ପର୍ଯ୍ୟନ୍ତ ଭୋଟ ଗ୍ରହଣରେ ଅନିୟମିତତା, ମୁକ୍ତ ଓ ଅବାଧ ଗଣତି ହୋଇ ନ ଥିବା ଦର୍ଶାଇ ପୁନଃ ଗଣତି ପାଇଁ ୨୦୨୨ ଫେବୃଆରୀ ୨୭ରେ ଡେଲାଙ୍ଗ ବିଡିଓଙ୍କୁ ସ୍ବର୍ଣ୍ଣଲତା ଆବେଦନ କରିଥିଲେ। ମୃତ ଓ ଅନୁପସ୍ଥିତ ଭୋଟ ଗ୍ରହଣ କରାଯାଇଥିବା ଆବେଦନକାରୀ ଏଥିରେ ଦର୍ଶାଇଥିଲେ। ବିଡିଓ ପୁନଃଗଣତି କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆବେଦନକାରୀ ସ୍ବର୍ଣ୍ଣଲତା ପରବର୍ତ୍ତୀ ସମୟରେ ପିପିଲିସ୍ଥିତ ନିର୍ବାଚନ ଟ୍ରିବ୍ୟୁନାଲ ତଥା ସିଭିଲ ଜଜ୍‌ ଜୁନିୟରଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକୁ ବିଚାର କରି ନିର୍ବାଚନ ଟ୍ରିବ୍ୟୁନାଲ ତଥା ସିଭିଲ ଜଜ୍‌ ନିର୍ବାଚନ ମାମଲା ସଂଖ୍ୟା ୧/୨୨ ଅନୁସାରେ ଡେଲାଙ୍ଗ ବିଡିଓ ପଞ୍ଚାୟତର ଓ୍ବାର୍ଡ ନମ୍ବର ୬ରୁ ୧୨ର ବ୍ୟବହୃତ ଏବଂ ଅବ୍ୟବହୃତ ବାଲଟ ପେପର, ଫଳାଫଳ କାଗଜପତ୍ର, ଗଣତି ଫୋଲିଓ ଏବଂ ସମସ୍ତ ନିର୍ବାଚନ କାଗଜପତ୍ର ଡିସେମ୍ବର ୬ରେ କୋର୍ଟରେ ଦାଖଲ କରିଥିଲେ। ଉଭୟ ପକ୍ଷଙ୍କ ଉପସ୍ଥିତିରେ ଡିସେମ୍ବର ୮ରେ ସିଭିଲ ଜଜ୍‌ ତଥା ପିପିଲି ନିର୍ବାଚନ ଟ୍ରିବ୍ୟୁନାଲ ପିପିଲି କୋର୍ଟରେ ଉକ୍ତ ପଞ୍ଚାୟତର ସରପଞ୍ଚ ପଦବୀର ଭୋଟ ବାଲଟ ପେପର ଓ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପୁନଃ ତନଖି କରାଯାଇଥିଲା। ପରେ ସାକ୍ଷ୍ୟ ନିଆଯାଇ ରାୟ ସଂରକ୍ଷିତ ଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନିଲ ଦଳେଇ, ବିନାୟକ ପ୍ରଧାନ ଓ ରସିଦ ଖାଁ ମାମଲା ପରିଚାଳନା କରୁଥିବାବେଳେ ପ୍ରତିବାଦୀଙ୍କ ପକ୍ଷରୁ ଆଇନଜୀବୀ ବିଭୁ ପ୍ରସାଦ ଗୈରିଗଞ୍ଜନ ମାମଲା ପରିଚାଳନା କରୁଥିଲେ।