ନବୀକରଣ ହେଉନି ବଟକରା

ବାଲିମେଳା,୧୪ା୩(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳରେ ଆମିଷ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ବେପାରୀମାନେ ମନ ଇଚ୍ଛା ମାଛମାଂସ ଦର ବୃଦ୍ଧିକରି ଖାଉଟିଙ୍କୁ ଶୋଷଣ କରୁଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷେ ବେପାରୀମାନେ ନିଜ ପାଖରେ ରଖିଥିବା ଓଜନ ସାମଗ୍ରୀର ବର୍ଷ ବର୍ଷ ଧରି ନବୀକରଣ କରାଯାଉ ନ ଥିବାରୁ ଗ୍ରାହକଙ୍କୁ ପ୍ରକୃତ ପରିମାଣ ସାମଗ୍ରୀ ଦେବା ବଦଳରେ କମ୍‌ ପରିମାଣ ଦେଇ ଠକୁଥିବା ଅଭିଯୋଗ ହୋଇଛି। ବାଲିମେଳା ଦୈନିକ ବଜାରରେ ଥିବା ଆମିଷ ଦୋକାନଗୁଡିକରେ ରୋହି, ଭାକୁର, ମିରିକାଳୀ, ଫଳି, କଣ୍ଟିଆ, ପବତା, ମାଗୁର ସହ ବିଭିନ୍ନ ପ୍ରକାର ଚୂନା ମାଛ, ମଧ୍ୟମ ଧରଣର ମାଛ, ବଡ ଓ ଛୋଟ ଚିଙ୍ଗୁଡ଼ି ମାଛର ଦର ପୂର୍ବାପେକ୍ଷା ଦୁଇଗୁଣ ଅଧିକରେ ବିକ୍ରି ହେଉଛି । ଛେଳି ଓ କୁକୁଡ଼ା ମାଂସ ଦର ମଧ୍ୟ ଦେଢ଼ଗୁଣା ବଢିଯାଇଛି । ପୂର୍ବରୁ ଚିତ୍ରକୋଣ୍ଡା ଡ୍ୟାମରୁ ଆସୁଥିବା ବଡ ମାଛକୁ କାଟି କିଲୋ ପିଛା ୨୦୦ ରୁ ୨୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଏହା କିଲୋ ପିଛା ୩୦୦ ଟଙ୍କାରେ ବିକ୍ରି ହେଉଛି । ଡ୍ୟାମରୁ ଆସୁଥିବା ବାଉଁଶପତ୍ରୀ ମାଛ ବର୍ତ୍ତମାନ କିଲୋପିଛା ୪୦୦ ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବ୍ରଏଲର କୁକୁଡ଼ା ମାଂସ କେଜି ୧୮୦ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୨୪୦ ଟଙ୍କା ହୋଇଛି । ଖାସି ମାଂସ କିଲୋ ୭୦୦ ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ବେପାରୀମାନେ ଓଜନରେ ମଧ୍ୟ ଗ୍ରାହକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ବହୁ ମାଛ ବ୍ୟବସାୟୀଙ୍କର ଦୀର୍ଘବର୍ଷ ହେବ ଓଜନ ମାପକ ବଟକରା ଆଦୌ ନବୀକରଣ ହୋଇ ନ ଥିବାରୁ ପ୍ରତିଦିନ ବେପାରୀମାନେ କୁଇଣ୍ଟାଲ କୁଇଣ୍ଟାଲ ମାଛ ଏପରି ବିକି ମାଲାମାଲ ହେଉଛନ୍ତି।
ସୂଚନାଯୋଗ୍ୟ, ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକର ତାରଲାକୋଟା, ସୋର୍ଲକୋଣ୍ଡା,କାମ୍ବେଡା ଓ ଆଖପାଖ ଅଞ୍ଚଳର ହାଟ ବଜାରରେ ଏଭଳି କରୁଥିଲେ ମଧ୍ୟ ଓଜନ ମାପ ବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି। କେବଳ ଆମିଷ ନୁହେଁ, ପନି ପରିବାରେ ମଧ୍ୟ ଲୋକଙ୍କୁ ଓଜନରେ ଠକାମିର ଶିକାର ହେବାକୁ ପଡୁଛି। ବାଲିମେଳା ଏନଏସି କର୍ତ୍ତୃପକ୍ଷ, ଓଜନ ମାପ ବିଭାଗ ଅଧିକାରୀ ଓ ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।