Categories: ଜାତୀୟ

ପଦୋନ୍ନତିରେ ସଂରକ୍ଷଣ ହଟିଲେ କର୍ମଚାରୀ ଅଶାନ୍ତି ସୃଷ୍ଟି ହୋଇପାରେ: କେନ୍ଦ୍ର

ନୂଆଦିଲ୍ଲୀ,୨ା୪ : ସରକାରୀ ଚାକିରିରେ ଥିବା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀଙ୍କୁ ପଦୋନ୍ନତି କ୍ଷେତ୍ରରେ ମିଳୁଥିବା ସଂରକ୍ଷଣ ସୁବିଧାକୁ ହଟାଗଲେ ଅଶାନ୍ତି ଓ ବିବାଦ ସୃଷ୍ଟି ହୋଇପାରେ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ସମ୍ବିଧାନ ଅନୁଯାୟୀ ସଂରକ୍ଷଣ ନୀତି କାର୍ଯ୍ୟକାରୀ ହେଉଥିବା ଜଷ୍ଟିସ ନାଗେଶ୍ୱର ରାଓ ଏବଂ ବି.ଆର୍‌, ଗଭାଇଙ୍କ ଖଣ୍ଡପୀଠରେ ସତ୍ୟପାଠ ଜରିଆରେ କେନ୍ଦ୍ର ସରକାର ଜଣାଇଛନ୍ତି। ଯଦି ଗୋଟିଏ ମାମଲାରେ ଏଥିପାଇଁ ଅନୁମତି ଦିଆ ନ ଯାଏ, ତେବେ ଏସ୍‌ସି/ଏସ୍‌ଟି କର୍ମଚାରୀମାନଙ୍କୁ ପଦୋନ୍ନତିରେ ମିଳୁଥିବା ସଂରକ୍ଷଣ ସୁବିଧା ପ୍ରତ୍ୟାହାର ଆବଶ୍ୟକ ପଡ଼ିବ। ଫଳରେ ଏସ୍‌ସି ଏବଂ ଏସ୍‌ଟି କର୍ମଚାରୀମାନଙ୍କ ପଦାବନତି କରିବା ସହ ସେମାନଙ୍କ ବେତନ ଓ ପେନ୍‌ସନକୁ ପୁନଃ ନିର୍ଦ୍ଧାରଣ କରିବାକୁ ହେବ। ଏଥିସହିତ ଯେଉଁମାନେ ଅଧିକ ବେତନ ଓ ପେନ୍‌ସନ ପାଇଛନ୍ତି, ତାହା ସେମାନଙ୍କଠାରୁ ଆଦାୟ କରିବାକୁ ପଡ଼ିପାରେ, ଯାହା କର୍ମଚାରୀ ଅଶାନ୍ତି ବୃଦ୍ଧି କରିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

Share