Categories: ଜାତୀୟ

୩ ଘଣ୍ଟାରେ ଫେକ୍‌ କଣ୍ଟେଣ୍ଟ ହଟାଅ:ରାଜନୈତିକ ଦଳଙ୍କୁ ଇସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୭ା୫(ପି.ଟି.):ନିର୍ବାଚନ ପ୍ରଚାର ବେଳେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିର ଦୁରୁପଯୋଗ କରାଯାଇ ଡିପ୍‌ ଫେକ୍‌ ପ୍ରସ୍ତୁତ କରାଯିବା ଏବଂ ତଥ୍ୟକୁ ବିକୃତ କରାଯାଉଥିବାରୁ ନିର୍ବାଚନ କମିଶନ(ଇସି) ସୋମବାର ରାଜନୈତିକ ଦଳଗୁଡ଼ିକୁ ତାଗିଦ କରିଛନ୍ତି। ୩ ଘଣ୍ଟା ମଧ୍ୟରେ ଏଭଳି ଫେକ୍‌ କଣ୍ଟେଣ୍ଟଗୁଡ଼ିକୁ ସୋସିଆଲ ମିଡିଆ ଆକାଉଣ୍ଟରୁ ହଟାଇବା ପାଇଁ ଇସି ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନୀ ସଚ୍ଚୋଟତା ବଜାୟ ରଖିବା ଏବଂ ଭୁଲ୍‌ ସୂଚନା ତଥା ମର୍ଯ୍ୟାଦା ହାନିକାରକ ବିଷୟ ପ୍ରସାରଣରୁ ଦୂରେଇ ରହିବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି। ଆଦର୍ଶ ଆଚରଣ ବିଧି (ଏମ୍‌ସିସି)ର ଉଲ୍ଲଂଘନ ଏବଂ ଆଇନଗତ ବ୍ୟବସ୍ଥାକୁ ଧ୍ୟାନରେ ରଖିବା ପାଇଁ ନିର୍ଦ୍ଦେଶନାମାରେ କୁହାଯାଇଛି। ସମସ୍ତଙ୍କ ପାଇଁ ସମାନ ସୁବିଧା ସୁନିଶ୍ଚିତ କରିବାକୁ ହେଲେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ପ୍ରଚାରରେ ସୋସିଆଲ ମିଡିଆର ଦାୟିତ୍ୱବାନ ଏବଂ ନୈତିକ ଉପଯୋଗ କରିବାକୁ ହେବ। ମିଥ୍ୟା ସୂଚନାର ପ୍ରଚାର ପାଇଁ ଏଆଇ ଆଧାରିତ ଉପକରଣର ଅପବ୍ୟବହାର ନ କରିବାକୁ ଇସି ସତର୍କ କରାଇ ଦେଇଛନ୍ତି।

Share