ଶହୀଦ ଯବାନଙ୍କ ବୀରତ୍ୱକୁ ମନେ ପକାଇ ଶ୍ରଦ୍ଧାଞ୍ଜଳି

କୋରାପୁଟ,୧୮।୩(ଅମିତାଭ ବେହେରା ): କୋରାପୁଟ ପୋଲିସ ପଡ଼ିଆରେ ଜିଲା ପୋଲିସ ପକ୍ଷରୁ ଶହୀଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି କରାଯାଇଛି। ଏହି ଅବସରରେ କୋରାପୁଟ ଏସ୍‌ପି ଅଭିନବ ସୋନକର ଶହୀଦ ପରିବାର ଲୋକଙ୍କୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ୨୦୧୨ରେ କୋରାପୁଟ ଲମତାପୁଟଠାରେ ମାଓବାଦୀଙ୍କ ବୋମା ବିସ୍ଫୋରଣରେ ଦୁଇ ଯବାନ ସୁନୀଲ ସିଂ ଏବଂ ଶଶୀ ରଞ୍ଜନ ରାଉତ ଶହୀଦ ହୋଇଯାଇଥିଲେ।

ଦେଶ ପାଇଁ ପ୍ରଣା ଦେଇଥିବା ଯବାନଙ୍କ ବୀରତ୍ୱକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋରାପୁଟ ପୋଲିସ ପକ୍ଷରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଅମର ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଏସ୍‌ପି ସୋନକର ଯବାନମାନଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏପରି କି ଏସ୍‌ପି ସୋନକର ଶହୀଦ ଯବାନଙ୍କ ପରିବାର ଲୋକଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବା ସହିତ ସମବେଦନା ଜଣାଇଥିଲେ।