ପୁରୁଷୋତ୍ତମପୁର,୧୦।୫ (ସବିତା ମିଶ୍ର): ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ବଢ଼ିଚାଲିଥିବା ନିର୍ଯାତନାକୁ ରୋକିବା ସହ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ଜଣେ ପୀଡ଼ିତା ଯେପରି ନିଜର ସମସ୍ତ ଅଭିଯୋଗ ଓ ସମସ୍ୟା ନିର୍ଭୟରେ ପୋଲିସକୁ ଜଣାଇପାରିବେ ଏବଂ ତଦନ୍ତ ପ୍ରକ୍ରିୟା ସଠିକ ଭାବେ ହୋଇପାରିବ, ସେଥିପାଇଁ ସମସ୍ତ ଥାନାରେ ‘ମହିଳା ଓ ଶିଶୁ ଡେକ୍ସ’ ଖୋଲାଯାଇଛି। ୨୦୧୨ ମସିହାରେ ପୋକ୍ସୋ (POCSO) ଆଇନ ଆସିବା ପରଠାରୁ ଏହି ବ୍ୟବସ୍ଥାକୁ ସବୁ ଥାନାରେ କଡ଼ାକଡ଼ି କରାଯାଇଛି।
ଏହି କ୍ରମରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନାରେ ମହିଳା ଓ ଶିଶୁ ଡେକ୍ସ ପାଇଁ ଏକ ସ୍ବତନ୍ତ୍ର ଗୃହ ନିର୍ମାଣ କରାଯିବା ସହ ଜଣେ ମହିଳା ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଫଳରେ ମହିଳା ଅଧିକାରୀ ପୀଡ଼ିତାଙ୍କର ସଠିକ ଭାବେ କାଉନସେଲିଂ କରିପାରୁଥିଲେ। ନିକଟରେ ଏହି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଓ ପୋଲିସକୁ ‘ଶିଶୁ ମିତ୍ର’ ଭାବେ ଗଢ଼ିତୋଳିବା ଉଦ୍ଦେଶ୍ୟରେ ଗୃହ ବିଭାଗ ପକ୍ଷରୁ ‘ଜୁଭେଣ୍ଟିକା’ ନାମକ ଏକ ନୂତନ ଯୋଜନାର ଶୁଭାରମ୍ଭ କରାଯାଇଛି।
ତେବେ ପୁରୁଷୋତ୍ତମପୁର ଥାନାରେ ଏହି ଯୋଜନାର ସଫଳତା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ମହିଳା ଓ ଶିଶୁ ଡେକ୍ସ ଦାୟିତ୍ୱରେ ଥିବା ମହିଳା ଅଧିକାରୀ ପ୍ରିୟଙ୍କା ବେହେରା ଗତ ଜାନୁଆରୀ ମାସରେ ପଦୋନ୍ନତି ପାଇ ଚାଲିଯିବା ପରେ, ଦୀର୍ଘ ୫ ମାସ ହେବ ଏହି ପଦବୀ ଖାଲି ପଡ଼ିଛି। ବର୍ତ୍ତମାନ ପୋଲିସ ବିଭାଗ ପକ୍ଷରୁ ଏସ୍ଆଇ ସୁଶାନ୍ତ କୁମାର ମିଶ୍ରଙ୍କୁ ଏହି ଡେକ୍ସର ଦାୟିତ୍ୱ ଦେଇ କାମ ଚଳାଯାଉଛି।
ଜଣେ ପୁରୁଷ ଅଧିକାରୀ ଏହି ଦାୟିତ୍ୱରେ ଥିବାରୁ ପୀଡ଼ିତାମାନେ ନିଜର ବ୍ୟକ୍ତିଗତ ସମସ୍ୟା ଜଣାଇବାକୁ କୁଣ୍ଠାବୋଧ କରୁଛନ୍ତି। ଏପରିକି ପୀଡ଼ିତାଙ୍କର ୧୬୧ ଧାରା ଅନୁଯାୟୀ ବୟାନ ରେକର୍ଡ କରିବା ପାଇଁ ପୁରୁଷୋତ୍ତମପୁର ପୋଲିସକୁ ଅନ୍ୟ ଥାନାର ମହିଳା ଅଧିକାରୀଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ରାଜ୍ୟରେ ମହିଳା ପୋଲିସ ଅଧିକାରୀଙ୍କ ଅଭାବ ରହିଛି ନା ବିଭାଗ ଏହି ଅଞ୍ଚଳର ମହିଳା ଓ ଶିଶୁଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉନାହିଁ, ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ତେଣୁ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଜଣେ ମହିଳା ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ଦାବି ହେଉଛି।
Dharitri – Odisha’s No.1 Odia Daily

