ଖୋର୍ଦ୍ଧାରେ ଖୋଲିବ ଧାର୍ମିକ ଅନୁଷ୍ଠାନ

ଖୋର୍ଦ୍ଧା ଅଫିସ,୬।୮: ଆସନ୍ତା ୯ତାରିଖରୁ ଖୋର୍ଦ୍ଧା ଜିଲାରେ (ବିଏମ୍‌ସିକୁ ବାଦ୍‌ ଦେଇ) ସମସ୍ତ ଧାର୍ମିକ ଅନୁଷ୍ଠାନ, ମଠ, ମନ୍ଦିର ଖୋଲିବ। କୋଭିଡ୍‌ କଟକଣା କୋହଳ ପରେ ଦୀର୍ଘ ୩ମାସର ପ୍ରତୀକ୍ଷାର ଅନ୍ତ ଘଟିଛି। ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରୁ କଟକଣା ହଟିଛି। ଗୁରୁବାର ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ଏ ସଂକ୍ରାନ୍ତ ବୈଠକରେ ଧାର୍ମିକ ଅନୁଷ୍ଠାନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅତିରିକ୍ତ ଜିଲାପାଳ ମନୋଜ ପାଢୀ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲାପାଳ (ରାଜସ୍ବ) ଅନୁଜ ଦାସପଟ୍ଟନାୟକ, ଉପଜିଲାପାଳ ଆଇ.ଗୌରବ ଶିବାଜୀ ପ୍ରମୁଖ ଉପସ୍ଥିତ ଥିଲେ। କୋଭିଡ ନିୟମ ପାଳନ ସହ ମଠ, ମନ୍ଦିର, ଧାର୍ମିକ ଅନୁଷ୍ଠାନ ଖୋଲାରହିବ। ଭକ୍ତମାନେ ସକାଳ ୬ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିବାର ସୁଯୋଗ ପାଇବେ। ବିଧି ପରମ୍ପରା ଅନୁଯାୟୀ ନୀତିକାନ୍ତି ଚାଲିବ। କୌଣସି ଭକ୍ତ ମନ୍ଦିରକୁ ଭୋଗ ନେଇ ଯାଇପାରିବେ ନାହିଁ କି ମନ୍ଦିର ପରିସରରେ ପ୍ରସାଦ ସେବନ କରିପାରିବେ ନାହିଁ। ପରିସରକୁ ବିଶୋଧନ କରାଯିବ। ପ୍ରବେଶ ପଥରେ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ହେବ। ମାସ୍କ ଏବଂ ସାମାଜିକ ଦୂରତା ବାଧ୍ୟତାମୂଳକ କରାଯାଇଛି। ଶିଶୁ ଓ ୬୫ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି। କୋଭିଡ୍‌ ନିୟମ ପାଳନକୁ ମନ୍ଦିର ପରିଚାଳନା କମିଟି ତଦାରଖ କରିବେ। ଭିଡ଼ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପୋଲିସ ପକ୍ଷରୁ ଦୃଷ୍ଟି ଦିଆଯିବ।
ଏହି ବୈଠକରେ ଖୋର୍ଦ୍ଧା ତହସିଲଦାର ପଦ୍ମଚରଣ ସାହୁ, ସଦର ଏସ୍‌ଡିପିଓ ସୁଶିଲ ମିଶ୍ର, ବାଲୁଗାଁ ଏସ୍‌ଡିପିଓ ମାନସ ବାରିକଙ୍କ ସମେତ ସମସ୍ତ ବିଡିିଓ, ତହସିଲଦାର ଉପସ୍ଥିତ ଥିଲେ। ବାଣପୁର ଭଗବତୀ ମନ୍ଦିର, ଭୁଷଣ୍ଡପୁର ଉଗ୍ରତାରା, ଗୁରୁଜଙ୍ଗ ଧବଳେଶ୍ୱର ପୀଠ, ଜାଗୁଳିପାଟଣା ଜଗନ୍ନାଥ ମନ୍ଦିର, ବରୁଣେଇ ପୀଠ, କାଇପଦର ପୀରବାବା ପୀଠ, କେରଙ୍ଗ ମସଜିଦ୍‌, ବାପିଷ୍ଟ ଚର୍ଚ୍ଚ ପ୍ରଭୃତିର ପରିଚାଳନା କମିଟି ସଦସ୍ୟ ଯୋଗଦେଇଥିଲେ।