ବରଗଡ଼ ଜିଲାରେ ୧୧ରୁ ଖୋଲିବ ଧାର୍ମିକ ଅନୁଷ୍ଠାନ: ପୂଜା ସାମଗ୍ରୀ ନେବା ମନା

ବରଗଡ଼ ଅଫିସ୍‌,୫।୧: ବରଗଡ଼ ଜିଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ବୁଧବାରଠାରୁ ଖୋଲିବ। ତେବେ ଜିଲାର ଅନ୍ୟ ସମସ୍ତ ଧାର୍ମିକ ପୀଠ ଆସନ୍ତା ୧୧ତାରିଖରୁ ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ମଙ୍ଗଳବାର ନିଷ୍ପତ୍ତି ନିଆଯାଇଛି । ଧାର୍ମିକ ପୀଠ ଖୋଲିବା ପୂର୍ବରୁ ସ୍ଥାନୀୟ ତହସିଲଦାରଙ୍କ ଅଧ୍ୟକ୍ଷତାରେ ପୋଲିସ, ଧାର୍ମିକ ଅନୁଷ୍ଠାନ କମିଟି ମଧ୍ୟରେ ଏକ ବୈଠକ କରାଯାଇ କୋଭିଡ୍‌ ଗାଇଡ୍‌ ଲାଇନ ପାଳନ ନେଇ ଆଲୋଚନା ହୋଇଥିଲା। ଏପରି କି ଲୋକଙ୍କ ସହିତ ଆଲୋଚନା ତଥା ସଚେତନତା ସୃଷ୍ଟି ପାଇଁ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ତେବେ କଣ୍ଟେନମେଣ୍ଟ ଜୋନ ଘୋଷିତ ଅଞ୍ଚଳରେ ଧାର୍ମିକ ଅନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇନାହିଁ। ପ୍ରଶାସନର ନିଷ୍ପତ୍ତିକ୍ରମେ ଖୋଲୁଥିବା ଧାର୍ମିକ ଅନୁଷ୍ଠାନରେ କେବଳ ଗୋଟିଏ ପ୍ରବେଶ ଓ ଗୋଟିଏ ପ୍ରସ୍ଥାନ ପଥ ରହିବ । ସେହିପରି ପୂଜକ ଓ ଭକ୍ତଙ୍କୁ ମାସ୍କ ପରିଧାନ, ସାମାଜିକ ଦୂରତା, ହାତ ସାନିଟାଇଜ କରିବାକୁ ପରାମର୍ଶ ଦିଆଯାଇଛି । କୋଭିଡ୍‌ ଲକ୍ଷଣ ରହିଥିବା ଭକ୍ତଙ୍କୁ ଧାର୍ମିକ ଅନୁଷ୍ଠାନ ପ୍ରବେଶ ନେଇ ନିଷେଧାଦେଶ ଜାରି କରାଯାଇଛି । ସେହିପରି ଧାର୍ମିକ ଅନୁଷ୍ଠାନ ପରିସରରେ ଛେପ ପକାଇଲେ ଜରିମାନା ଆଦାୟ ପାଇଁ ଆଦେଶ ରହିଛି। ଦୀପ, ଫୁଲ, ପ୍ରସାଦ ତଥା ଅନ୍ୟ ପୂଜା ସାମଗ୍ରୀ ନେବା ତଥା ପ୍ରସାଦ ସେବନକୁ ବାରଣ କରାଯାଇଛି । ଅନ୍ୟପଟେ ୬୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବୃଦ୍ଧାବୃଦ୍ଧ, ଗର୍ଭବତୀ ମହିଳା, ୧୦ବର୍ଷରୁ କମ୍‌ ଶିଶୁମାନଙ୍କୁ ଧାର୍ମିକ ଅନୁଷ୍ଠାନକୁ ବର୍ତ୍ତମାନ ପରିସ୍ଥିତିରେ ନ ଯିବାକୁ ପରାମର୍ଶ ଦିଆଯାଇଛି ।