ଓଲିଙ୍କ ଦାବିକୁ ଧର୍ମୀୟ ନେତାଙ୍କ ବିରୋଧ

ନୂଆଦିଲ୍ଲୀ, ୧୦।୮: ଭଗବାନ ରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଏହାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ପୁଣିଥରେ ଦୋହରାଇଛନ୍ତି। ଏହାକୁ ନେଇ ଜାନକୀ ମନ୍ଦିରର ପୂଜକମାନଙ୍କ ସମେତ ନେପାଳର ଧର୍ମୀୟ ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାମ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନୁହେଁ, ଦକ୍ଷିଣ ନେପାଳର ଅଯୋଧ୍ୟାପୁରୀରେ ଜନ୍ମଗ୍ରହଣ କରିଥିଲେ ବୋଲିି ଓଲି ଏକ ପ୍ରତିନିଧି ଦଳକୁ କହିଛନ୍ତି। ଚିତଓ୍ବାନ ଜିଲାରୁ ଯାଇଥିବା ପ୍ରତିନିଧି ଦଳ ଓଲିଙ୍କ ସହିତ ରାମଙ୍କ ଜନ୍ମସ୍ଥାନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଅଯୋଧ୍ୟାପୁରୀକୁ ରାମଙ୍କ ଜନ୍ମସ୍ଥାନ ଭାବେ ପ୍ରଚାର ପ୍ରସାର କରାଇବା ପାଇଁ ସେଠାରେ ରାମଙ୍କ ମୂର୍ତ୍ତି ସ୍ଥାପନ କରିବା ଏବଂ ମାଦି ମ୍ୟୁନିସିପାଲିଟିକୁ ଅଯୋଧ୍ୟାପୁରୀ ଭାବେ ନାମିତ କରିବା ପାଇଁ ପ୍ରତିନିଧି ଦଳ ପ୍ରସ୍ତାବ ଦେଇଥିଲେ। ତେବେ ଅଯୋଧ୍ୟା ଭୂମିପୂଜନ ଉତ୍ସବରେ ଯୋଗଦେଇଥିବା ଜାନକୀ ମନ୍ଦିର ପୂଜକ ଆଚାର୍ଯ୍ୟ ଦୁର୍ଗାପ୍ରସାଦ ଗୌତମ ଓଲିଙ୍କ ଦାବିକୁ ଖଣ୍ଡନ କରିଛନ୍ତି। ଏଭଳି ଦାବି ଅର୍ଥହୀନ ବୋଲି ସେ କହିଛନ୍ତି। ଚାଇନାକୁ ଖୁସି କରିବା ପାଇଁ ଓଲି ଭାରତ ବିରୋଧୀ ଭାବେ ନିଜକୁ ଦେଖାଇବାକୁ ଚାହୁଁଥିବା କାଠମାଣ୍ଡୁରେ ଚର୍ଚ୍ଚା ହେଉଛି। ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି)ରେ କ୍ଷମତା କନ୍ଦଳ ଜାରି ରହିଥିବାବେଳେ ମାସକ ମଧ୍ୟରେ ଓଲି ଦ୍ୱିତୀୟ ଥର ରାମଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ସୃଷ୍ଟି ଲାଗି ଉଦ୍ୟମ କରିଛନ୍ତି।

Share