ଜଳେଶ୍ୱର, ୯।୧(ନବୀନ ସାହୁ) : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କାଳିକ ପଞ୍ଚାୟତ ୪ନମ୍ବର ୱାର୍ଡ ରଙ୍ଗମାଟିଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇ ପୁଅଙ୍କ ମଧ୍ୟରେ ଧର୍ମାନ୍ତର ବିବାଦକୁ ନେଇ ବୃଦ୍ଧ ବାପାଙ୍କ ଶବ ସତତ୍କାର ହୋଇପାରୁନି । ବଡ଼ପୁଅ ହିନ୍ଦୁ ରୀତିନୀତି ଅନୁସାରେ ବାପାଙ୍କ ଶବ ସତ୍କାର କରିବେ ବୋଲି କହୁଥିବା ବେଳେ ସାନପୁଅ ଖ୍ରୀଷ୍ଟଧର୍ମ ଅନୁଯାୟୀ ଅନ୍ତେଷ୍ଟିକ୍ରିୟା କରିବେ ବୋଲି ଜିଦ୍ ଧରିଛନ୍ତି। ଏହାକୁ ନେଇ ବିବାଦ ଦେଖାଦେଇଛି।
ଛୁଟା ହାଁସଦା(୯୫)ଙ୍କ ବାର୍ଦ୍ଧକ୍ୟଜନିତ କାରଣରୁ ବୁଧବାର ରାତିରେ ମୃତ୍ୟୁ ହୋଇଥିଲା। ମାତ୍ର ସାନ ପୁଅ ଭୀମ ହାଁସଦାଙ୍କ ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି। ସେ ନିଜ ବାପାଙ୍କୁ ବାଡ଼ିରେ କବର ଦେବା ଓ ଖ୍ରୀଷ୍ଟଧର୍ମ ଅନୁଯାୟୀ ଅନ୍ତେଷ୍ଟିକ୍ରିୟା କରିବେ ବୋଲି ଜିଦ୍ ଧରିଛନ୍ତି। ବଡ଼ପୁଅ ଭରତ ଘଟଣା ସମ୍ପର୍କରେ ଗ୍ରାମରେ ଜଣାଇଥିଲେ। ଗ୍ରାମସଭା ସଭାପତି ମାସାଂଗ ହାଁସଦା, ସାମରାୟ ହାଁସଦା, ମୋହନ ମାରାଣ୍ଡି, ବିରାମ ସୋରେନ, ରଳିଆ ମୁର୍ମୁ, ନାଇକେ ବାବା, ମଙ୍ଗଲ ମାଝୀଙ୍କ ସହ ବହୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ।
ଏ ନେଇ ଭୀମ ରାଇବଣିଆ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଥାନାରୁ ଫେରି ନିଜ ବାଡ଼ିରେ କବର ଦେବାର ପ୍ରଶାସନଠୁ ଅନୁମତି ପାଇଁ ଘରବାଡ଼ି ପ୍ରମାଣପତ୍ର ନକଲ ରାଜସ୍ବ ଅଧିକାରୀ ଓଲମରାକୁ ମଧ୍ୟ ପଠାଇଥିଲେ। ମାତ୍ର ଖବର ଲେଖା ଶେଷ ହେବା ପର୍ଯ୍ୟନ୍ତ ସୁଦ୍ଧା ଶବ ସକତ୍ାର ହୋଇପାରି ନ ଥିବାବେଳେ ପ୍ରଶାସନ ମଧ୍ୟ ପହଞ୍ଚି ନ ଥିବାର ଜଣାପଡ଼ିଛି । ମୃତ୍ୟୁର ୨୫ ଘଣ୍ଟା ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଶବ ସତ୍କାର ହୋଇପାରୁ ନାହିଁ ।


