Categories: ଜାତୀୟ

ଜୁବେରଙ୍କୁ ଆଶ୍ୱସ୍ତି, ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର, ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର…

ନୂଆଦିଲ୍ଲୀ,୨୦।୭ : ସୁପ୍ରିମକୋର୍ଟ ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ତଥା ଫ୍ୟାକ୍ଟ-ଚେକର୍‌ ମହମ୍ମଦ ଜୁବେରଙ୍କୁ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ୬ଟି ମାମଲାରେ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ହାଜତରେ ରଖିବା ପାଇଁ କୌଣସି ଯଥାର୍ଥତା ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ପକ୍ଷରୁ ଉତ୍ତରପ୍ରଦେଶ ସରକାର ଦ୍ୱାରା ଗଠିତ ଏସଆଇଟି ମଧ୍ୟ ଭଙ୍ଗ କରାଯାଇଛି। ବୁଧବାର ମହମ୍ମଦ ଜୁବାଇରଙ୍କୁ ୨୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଳିକାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଘଟଣାର ଏକୀଭୂତ ତଦନ୍ତର ଆବଶ୍ୟକତା ରହିଛି। ଏହାସହିତ ଉତ୍ତରପ୍ରଦେଶରେ ଜୁବେରଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ମାମଲାକୁ ମଧ୍ୟ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି।

ମହମ୍ମଦ ଜୁବେରଙ୍କୁ ଟୁଇଟ ନକରିବାକୁ ଉତ୍ତରପ୍ରଦେଶ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି, ଏହା ଜଣେ ଆଇନଜୀବୀଙ୍କୁ ତର୍କ ନକରିବାକୁ କହିବା ଭଳି ଏବଂ ଜଣେ ବ୍ୟକ୍ତିଙ୍କୁ କଥା ନହେବାକୁ ନିର୍ଦ୍ଦେଶ ଦେବା। ସେ ଯାହା ବି କରନ୍ତି, ସେ ଆଇନ ଅନୁଯାୟୀ ଦାୟୀ ରହିବେ। କିନ୍ତୁ ଆମେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲେଖିବା ପାଇଁ ମନା କରି ପାରିବୁ ନାହିଁ ବୋଲି ଶୀର୍ଷ କୋର୍ଟ କହିଛନ୍ତି।

Share