ଗଞ୍ଜାମ,୩୦।୧୦ (ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଓ ଋଷିକୂଲ୍ୟା ନଦୀର ବନ୍ୟା ଯୋଗୁ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ଏହି ପରିପ୍ରେକ୍ଷୀରେ ରାଜପୁର ପଞ୍ଚାୟତ ଅନ୍ତର୍ଗତ ରାଜପୁର ଓ ରାଜନାପଲ୍ଲୀ ଗ୍ରାମର ଜଳବନ୍ଦୀ ପ୍ରଭାବିତ ପରିବାରଙ୍କ ନିକଟରେ ପହଞ୍ଚିଛନ୍ତି ବିଧାୟକ କୃଷ୍ଣଚନ୍ଦ୍ର ନାୟକ। ଓଡ୍ରାଫ ଟିମ୍ର ସହଯୋଗରେ ବିଧାୟକ ଗ୍ରାମଗୁଡ଼ିକରେ ପହଞ୍ଚି ପ୍ରଭାବିତ ପରିବାରଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ମହମବତୀ ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ। ଜଳବନ୍ଦୀ ଯୋଗୁ ଘରେ ଅଟକି ରହିଥିବା ଲୋକଙ୍କ ନିକଟରେ ରିଲିଫ ସାମଗ୍ରୀ ପହଞ୍ଚାଇବା ସହ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ବୁଝିଥିଲେ। ବିପର୍ଯ୍ୟୟ ସମୟରେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସହାୟତା ପହଞ୍ଚାଇବା ଉପରେ ଏହି ପଦକ୍ଷେପ ଗୁରୁତ୍ୱ ବହନ କରିଛି।