ଭାରତ ପାଇଁ ବଡ ପଦକ୍ଷେପ ନେଲା ଆମେରିକା

ଓ୍ବାଶିଂଟନ୍‌,୧୫।୭: ଛୋଟ ଏବଂ ଦୁର୍ବଳ ପଡୋଶୀ ଦେଶ ଉପରେ ଚାଇନା କ୍ରମାଗତ ଭାବରେ ନିଜର ପ୍ରାଧାନ୍ୟ ହାସଲ କରୁଛି। ତେବେ ଚାଇନାର ବିସ୍ତାରବାଦୀ ନୀତି ଭାରତ ଆଗରେ ସର୍ବଦା ଫେଲ୍‌ ମାରୁଛି। କୂଟନୈତିକ ହେଉ କି ସାମରିକ, ଭାରତ ପ୍ରତ୍ୟେକ କ୍ଷେତ୍ରରେ ଚାଇନାକୁ ଉପଯୁକ୍ତ ଜବାବ ଦେଉଛି। ଚାଇନାକୁ ରୋକିବା ପାଇଁ ଆମେରିକା ଭାରତ ସପକ୍ଷରେ ଏକ ବଡ ନିଷ୍ପତ୍ତି ନେଇଛି। ଆମେରିକାର ପ୍ରତିନିଧି ସଭାରେ ରାଷ୍ଟ୍ରୀୟ ପ୍ରତିରକ୍ଷା ପ୍ରାଧିକରଣ ଅଧିନିୟମ (ଏନଡିଏଏ) ସଂଶୋଧନ ପାଇଁ ଏକ ପ୍ରସ୍ତାବ ଅନୁମୋଦନ ହୋଇଛି। ଫଳରେ ଭାରତ ବର୍ତ୍ତମାନ ରୁଷିଆରୁ ଅସ୍ତ୍ରଶସ୍ତ୍ର କିଣିବା ନେଇ ଆମେରିକାର ସାଂସଦମାନଙ୍କର କୌଣସି ଆପତ୍ତି ନାହିଁ। ଆମେରିକାର ଏମ୍‌ପି ରୋ ଖାନ୍ନା ଭାରତକୁ କାଉଣ୍ଟରିଂ ଆମେରିକାସ୍‌ ଆଡଭରସାରିଜ୍‌ ଥ୍ରୁ ସାଙ୍କସନ୍‌ସ ଆକ୍ଟ(ସିଏଏଟିଏସ୍‌ଏ) ଅଧିନିୟମ ଅନୁଯାୟୀ ପ୍ରତିବନ୍ଧକରୁ ମୁକ୍ତ କରିବାକୁ ଦାବି କରିଥିଲେ। ଏହାକୁ ପ୍ରନିନିଧି ସଭାରେ ମଞ୍ଜୁରୀ ମିଳିଛି।
ଏହି ଅବସରରେ ରୋ ଖାନ୍ନା କହିଛନ୍ତି, ଚାଇନାର ଆକ୍ରମଣାତ୍ମକ ମନୋଭାବକୁ ଦୃଷ୍ଟିରେ ରଖି ଆମେରିକା ଭାରତ ନିକଟରେ ଛିଡା ହେବା ଉଚିତ୍‌। ଏହି ସଂଶୋଧନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଉଭୟ ଦଳର ସହଯୋଗରେ ଏହା ପାରିତ ହୋଇଥିବାରୁ ମୁଁ ଗର୍ବିତ।

ସିଏଏଟିଏସ୍‌ଏ ନିୟମ କ’ଣ?
ଏହି ନିୟମ ଅନୁଯାୟୀ ଆମେରିକା ପ୍ରତିଦ୍ୱନ୍ଦ୍ୱୀ ଦେଶରୁ ଅସ୍ତ୍ରଶସ୍ତ୍ର କିଣିବା ବିରୋଧରେ ପ୍ରତିବନ୍ଧକ ରୂପକ ପଦକ୍ଷେପ ଗ୍ରହଣ କରେ। ଇରାନ, ଉତ୍ତର କୋରିଆ କିମ୍ବା ରୁଷିଆ ସହିତ କାରବାର କରୁଥିବା ଦେଶ ଉପରେ ଆମେରିକା ସିଏଏଟିଏସ୍‌ଏ ଅଧୀନରେ କଟକଣା ଲାଗୁ କରିଛି। ଏହାକୁ ଆଇନଗତ ମାନ୍ୟତା ଦିଆଯିବା ପାଇଁ ଆମେରିକା ସଂସଦର ଉଭୟ ଗୃହରେ ଏହି ପ୍ରସ୍ତାବ ପାରିତ ହେବାକୁ ପଡିବ।

Share