ରିଲାଏନ୍ସର ୩ ବିଦ୍ୟୁତ୍‌ ବିତରଣ କମ୍ପାନୀ ବକେୟା ୪୨୩୪ କୋଟି

ଭୁବନେଶ୍ୱର, ୧୩।୩(ବ୍ୟୁରୋ): ବିଦ୍ୟୁତ୍‌ ଦର ବୃଦ୍ଧି ପାଇଁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)ରେ ଶୁଣାଣି ଚାଲିଥିବା ବେଳେ ଖାଉଟି ଏହାର ପ୍ରବଳ ବିରୋଧ କରୁଛନ୍ତି। ବର୍ତ୍ତମାନ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେଇଥିବା ଟାଟା ପାଓ୍ବାର ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇବା ଏବଂ ପୂର୍ବରୁ ଦାୟିତ୍ୱରେ ଥିବା କମ୍ପାନୀଗୁଡିକଠାରୁ ବକେୟା ଆଦାୟ କରିବାରେ ସକ୍ଷମ ହେବ କି ବୋଲି ବିଧାୟକ ଗଣେଶ ରାମ୍‌ ସିଂ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ବିଭିନ୍ନ ବିଦ୍ୟୁତ୍‌ ସଂସ୍ଥାର ରାଜସ୍ବ ଆବଶ୍ୟକତା ସମ୍ବନ୍ଧୀୟ ତଥ୍ୟକୁ ଭିତ୍ତିକରି ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ବିଦ୍ୟୁତ୍‌ ଦର ସ୍ଥିର କରିବା ବିଷୟ ଏବେ ଓଇଆର୍‌ସିଙ୍କ ବିଚାରାଧୀନ ରହିଛି। ଦର ନିର୍ଦ୍ଧାରଣ ସମୟରେ ଆୟୋଗ ସାଧାରଣ ଉପଭୋକ୍ତାଙ୍କ ସ୍ବାର୍ଥକୁ ସର୍ବାଧିକ ଗୁରୁତ୍ୱ ଦେଇଥାଆନ୍ତି। ତତ୍କାଳୀନ ସେସୁ, ସାଉଥ୍‌କୋ ଏବଂ ଓ୍ବେସ୍କୋର ଦାୟିତ୍ୱ ଟାଟା ପାଓ୍ବାର ଗ୍ରହଣ କରିଛି। ଆସନ୍ତା ୫ ବର୍ଷରେ ବକେୟା ଦେୟ ଆଦାୟ କରିବା, ଏଟି ଆଣ୍ଡ ସି କ୍ଷତି ହ୍ରାସ କରିବା ଏବଂ ବୈଦ୍ୟୁତିକ ଭିତ୍ତିଭୂମିର ବିକାଶ ଲାଗି ଚୁକ୍ତିବଦ୍ଧ ହୋଇଛି। ଏହାଦ୍ୱାରା ଗ୍ରାହକମାନେ ଗୁଣାତ୍ମକ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ପାଇପାରିବେ। ଟାଟା ପାଓ୍ବାର ଦ୍ୱାରା ଅଧିଗ୍ରହଣ ପୂର୍ବରୁ ରିଲାଏନ୍ସ ଅଧୀନ ୩ ବିତରଣ କମ୍ପାନୀଠାରୁ ୪ ମାର୍ଚ୍ଚ ୨୦୧୫ ପର୍ଯ୍ୟନ୍ତ ୪୨୩୪.୦୯ କୋଟି ବକେୟା ରହିଛି। ଏହାକୁ ଆଦାୟ ନିମନ୍ତେ ଗ୍ରୀଡ୍‌କୋ ତରଫରୁ ଓଇଆର୍‌ସି ନିକଟରେ ମାମଲା ରୁଜୁ କରାଯାଇଛି। ଏହା ବିଚାରାଧୀନ ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି।