Categories: ବାଣିଜ୍ୟ

ୟୁପିରେ ୭୫,୦୦୦ କୋଟି ନିବେଶ କରିବ ରିଲାଏନ୍ସ

ନୂଆଦିଲ୍ଲୀ,୧୧।୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୁକ୍ରବାର ଉତ୍ତର ପ୍ରଦେଶରେ ୭୫,୦୦୦ କୋଟି ଟଙ୍କା ନିବେଶ ସମ୍ପର୍କରେ ଘୋଷଣା କରିଛନ୍ତି। ଏହାଦ୍ୱାରା ପ୍ରାୟ ୧ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବା ସମ୍ଭାବନା ରହିଛି। ଏପରିକି ୟୁପିର ଲକ୍ଷ୍ନୌଠାରେ ଆୟୋଜିତ ‘ଉତ୍ତର ପ୍ରଦେଶ ଗ୍ଲୋବାଲ ଇନ୍‌ଭେଷ୍ଟର୍ସ ସମିଟ୍‌’ରେ ଯୋଗଦେଇ ମୁକେଶ କହିଛନ୍ତି, ଆଗାମୀ ୫ ବର୍ଷ ମଧ୍ୟରେ ୟୁପିର ଅର୍ଥନୀତି ୧ ଟ୍ରିଲିଅନ ଡଲାରରେ ପହଞ୍ଚିବ। ସେହିଭଳି ରିଲାଏନ୍ସ ଉତ୍ତର ପ୍ରଦେଶରେ ୧୦ଗିଗାୱାଟ୍‌ର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ସ୍ଥାପନ କରିବ। ଏହା ଉତ୍ତର ପ୍ରଦେଶରେ ଏ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଅକ୍ଷୟ ଶକ୍ତି ପରି ଯୋଜନା ହେବ। ବିଶେଷକରି ଆର୍‌ଆଇଏଲ୍‌ ୟୁପିରେ ବାୟୋଗ୍ୟାସ୍‌ ବ୍ୟବସାୟ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଆର୍‌ଆଇଏଲ୍‌ର ଅଧ୍ୟକ୍ଷ ମୁକେଶ କହିଛନ୍ତି, ବାୟୋଗ୍ୟାସ୍‌ ଦ୍ୱାରା ପରିବେଶରେ ସୁଧାର ଆସିବ। ତାହା ସହିତ କୃଷକମାନଙ୍କୁ ମଧ୍ୟ ବଡ଼ ଲାଭ ମିଳିବ। ଆମ ଦେଶର କୃଷକମାନେ ଅନ୍ନଦାତା। ବର୍ତ୍ତମାନ ସେମାନେ ଊର୍ଜାଦାତା ପାଲଟିବେ। ଏପରିକି ରାଜ୍ୟର ଗାଁ ଏବଂ ଛୋଟ ସହରଗୁଡ଼ିକରେ ଗୁଣାମତ୍କ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଯୋଗାଣ ପାଇଁ ରିଲାଏନ୍ସ ଜିଓ ପ୍ଲାଟ୍‌ଫର୍ମ ଜରିଆରେ ଦୁଇଟି ପାଇଲଟ ପ୍ରକଳ୍ପ ‘ଜିଓ ସ୍କୁଲ’ ଏବଂ ‘ଜିଓ-ଏଆଇ-ଡାକ୍ତର’ ସମ୍ପର୍କରେ ମଧ୍ୟ ସେ ଘୋଷଣା କରିଛନ୍ତି। ଏହା ସହିତ ଉତ୍ତର ପ୍ରଦେଶର କୃଷି ଏବଂ ଅଣକୃଷି ଉତ୍ପାଦ ସଂଗ୍ରହ ପରିମାଣ ବହୁଗୁଣ ବୃଦ୍ଧି କରିବାକୁ ମୁକେଶ ନିଜର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରକାଶ କରିଛନ୍ତି। ଏହାଦ୍ୱାରା କୃଷକ, ସ୍ଥାନୀୟ କାରିଗର, ଶିଳ୍ପକାର ଏବଂ ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ଫାଇଦା ମିଳିବ। ସେହିପରି ମୁକେଶ ଅମ୍ବାନୀ ୨୦୨୩ ଶେଷ ସୁଦ୍ଧା ଉତ୍ତର ପ୍ରଦେଶର ସମସ୍ତ ସହରରେ ୫ଜି ସେବା ପ୍ରଚଳନ କରିବା ସମ୍ପର୍କରେ ମଧ୍ୟ ମତ ପ୍ରକାଶ କରିଛନ୍ତି। ସେ କହିଥିଲେ, ନୂଆ ଭାରତ ଗଠନ ନିମନ୍ତେ ଉତ୍ତର ପ୍ରଦେଶ ଆଶାର କେନ୍ଦ୍ର ପାଲଟିଯାଇଛି। ବିଶେଷକରି ନଏଡାରୁ ଗୋରଖପୁର ପର୍ଯ୍ୟନ୍ତ ଜନସାଧାରଣଙ୍କ ମଧ୍ୟରେ ଢେର ଆମତ୍ବିଶ୍ୱାସ ଓ ଉତ୍ସାହ ଦେଖିବାକୁ ମିଳୁଛି। ଆମେ ସମସ୍ତେ ସମ୍ମିଳିତ ଭାବେ ଭାରତର ସବୁଠାରୁ ଜନବହୁଳ ରାଜ୍ୟକୁ ଦେଶର ସବୁଠାରୁ ସମୃଦ୍ଧ ରାଜ୍ୟ ମଧ୍ୟରେ ଅନ୍ୟତମରେ ପରିଣତ କରିବା।

Share