ମୁକ୍ତ ହେଲେଣି ୧୬,୭୮୯ କଏଦୀ

କଟକ ଅଫିସ,୩୦।୭: ରାଜ୍ୟରେ ଥିବା ଜେଲ୍‌ଗୁଡ଼ିକରେ ବର୍ତ୍ତମାନ କରୋନା ବ୍ୟାପିବାରେ ଲାଗିଛି। ପ୍ରାୟ ୮୫ଟି ଜେଲ୍‌ ମଧ୍ୟରୁ ୮ଟି ଜେଲ୍‌ରେ କରୋନା ପ୍ରବେଶ କରିସାରିଲାଣି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜେଲ୍‌ରୁ କଏଦୀମାନଙ୍କୁ ମୁକ୍ତ କରାଯାଉଛି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ମୋହର ବାଜିବା ପରେ ରାଜ୍ୟର ୧୬ ହଜାର ୭୮୯ ଜଣ କଏଦୀଙ୍କୁ ମୁକ୍ତି ଦିଆଯାଇଛି। ଏଥିରେ ୧୬ ହଜାର ୬୩୯ ଜଣ ବିଚାରାଧୀନ କଏଦୀ ଥିବାବେଳେ ୧୫୦ ଜଣ ଦଣ୍ଡ ପାଇଥିବା ଆସାମୀ ରହିଛନ୍ତି।
ଓଡ଼ିଶାର ଅଧିକାଂଶ ଜେଲ୍‌ରେ କ୍ଷମତାଠାରୁ ଅଧିକ ସଂଖ୍ୟକ କଏଦୀ ରହୁଛନ୍ତି। ଜେଲ୍‌ରେ ଭିଡ଼ ଯୋଗୁ ସଂକ୍ରମଣ ଆଶଙ୍କା ଥିବାରୁ ପ୍ରତ୍ୟେକ ରାଜ୍ୟରେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯାଇ କଏଦୀଙ୍କୁ ମୁକୁଳାଇବା ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାରେ ହାଇକୋର୍ଟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠିତ ହୋଇଛି। ଏଥିରେ ସଦସ୍ୟ ଭାବେ ଗୃହ ବିଭାଗର ମୁଖ୍ୟ ଶାସନ ସଚିବ, ଡିଜି (ଜେଲ୍‌) ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ରହିଛନ୍ତି। ଜେଲ୍‌ ନିର୍ଦ୍ଦେଶାଳୟ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧୨୦୨ ଜଣ କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସେହିଭଳି ମାର୍ଚ୍ଚ ୨୦ରୁ ଜୁଲାଇ ୨୮ ସୁଦ୍ଧା ୧୬ ହଜାର ୬୩୯ ଜଣ ବିଚାରଧୀନ କଏଦୀ ଓ ୧୫୦ ଜଣ ଦଣ୍ଡ ପାଇଥିବା କଏଦୀଙ୍କୁ ମୁକ୍ତ କରାଯାଇଛି। ବ୍ରହ୍ମପୁର ସର୍କଲ୍‌ ଜେଲ୍‌ରୁ ସର୍ବଧିକ କଏଦୀଙ୍କୁ ବାହାର କରାଯାଇଛି। ଏହି ଜେଲ୍‌ରୁ ୫,୧୮୪ ଜଣ ବିଚାରାଧୀନ କଏଦୀ ଓ ୪୭ ଜଣ ଦଣ୍ଡପ୍ରାପ୍ତ କଏଦୀଙ୍କୁ ମିଶାଇ ମୋଟ ୫,୨୩୧ ଜଣଙ୍କୁ ମୁକ୍ତି ଦିଆଯାଇଛି। ସମ୍ବଲପୁର ସର୍କଲ୍‌ ଜେଲ୍‌ରୁ ୩,୭୧୬ ଜଣ କଏଦୀ ମୁକ୍ତି ପାଇଛନ୍ତି। ଏଥିରେ ୩,୬୯୭ ଜଣ ବିଚାରାଧୀନ ଓ ୧୯ ଜଣ ଦଣ୍ଡପ୍ରାପ୍ତ କଏଦୀ ରହିଛନ୍ତି। କଟକ ସର୍କଲ୍‌ ଜେଲ୍‌ରୁ ୩,୪୬୫ଜଣ କଏଦୀ ମୁକ୍ତି ପାଇଛନ୍ତି। ଏମାନଙ୍କ ମଧ୍ୟରେ ୩,୪୩୪ ଜଣ ବିଚାରାଧୀନ ଓ ୩୧ ଜଣ ଦଣ୍ଡପ୍ରାପ୍ତ କଏଦୀ ଅଛନ୍ତି। ବାରିପଦା ସର୍କଲ୍‌ ଜେଲ୍‌ରୁ ୨,୭୧୮ ଜଣ ବିଚାରାଧୀନ ଓ ୧୫ ଜଣ ଦଣ୍ଡପ୍ରାପ୍ତ କଏଦୀଙ୍କୁ ମିଶାଇ ୨,୭୩୩ ଜଣଙ୍କୁ ମୁକ୍ତି ଦିଆଯାଇଛି। କୋରାପୁଟ ସର୍କଲ୍‌ ଜେଲ୍‌ରୁ ୧୬୪୪ ଜଣ ମୁକ୍ତି ପାଇଛନ୍ତି। ଏଥିରେ ୧୬୦୬ ଜଣ ବିଚାରାଧୀନ ଓ ୩୮ ଜଣ ଦଣ୍ଡପ୍ରାପ୍ତ କଏଦୀ ରହିଛନ୍ତି।